ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଟାଉନଥାନା ଅନ୍ତର୍ଗତ ଲେଙ୍କୁଡ଼ିପଡ଼ା ଗଣପତି ନଗର ନିକଟରେ ଆଜି ସଂନ୍ଧ୍ୟାରେ ଏକ ଦୁର୍ଘଟଣା ଘଟିଛି । ଜଣେ ମଦ୍ୟପ ବାଇକ ଚାଳକ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବାରୁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଶରଣକୂଳ ଥାନା ଅନ୍ତର୍ଗତ ଜାମୁଝୋଲା ଗ୍ରାମର ସନିଆ ବେହେରା (୫୫) ସବୁଦିନ ଭଳି ଆଜି ନୟାଗଡ଼ରେ ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଆସିଥିଲେ । ସେ ତାଙ୍କ କାମ ଶେଷ କରିବା ପରେ ଆଜି ଘରକୁ ଫେରୁଥିବା ସମୟରେ ମଦ୍ୟପାନ କରି ବାଇକ ଚଳାଉଥିବା ଜଣେ ଯୁବକ ତାଙ୍କ ସାଇକେଲକୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ସନିଆ ଗୁରୁତର ହୋଇପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଏବଂ ଦୁର୍ଘଟଣା ଘଟାଇଥିବା ଯୁବକ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ସନିଆଙ୍କୁ ମୃତ ଘୋଷଣା କରିବା ପରେ ବାଇକ ଚାଳକ ଡାକ୍ତରଖାନାରୁ ଚମ୍ପଟ ମାରିଥିବା ଜଣାଯାଇଛି । ଅନ୍ୟପକ୍ଷେ, ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ହିରୋ ସ୍ପେଣ୍ଡର ପ୍ଲସ ଏବଂ ଏହାର ନମ୍ବର ଓଡି୨୫ ଏ ୭୫୭୨ ବୋଲି ଜଣାଯାଇଛି । ଏହା ଟୁନା ବେହେରାଙ୍କ ନାମରେ ଥିବା ପରିବହନ ଆପ୍ରୁ ଜଣାଯାଇଛି । ଗାଡ଼ିର ଇନ୍ସୁରାନ୍ସ ଏବଂ ପ୍ରଦୂଷଣ ସାର୍ଟିଫିକେଟ୍ ନଥିବା ସୂଚନା ମିଳିଛି । ଏହି ଗାଡ଼ିଟି ଦୁର୍ଘଟଣା ଘଟିଥିବା ସ୍ଥାନରେ ପଡ଼ି ରହିଛି । ଅନ୍ୟପକ୍ଷେ, ନୟାଗଡ଼ ଟାଉନଥାନା ପୁଲିସ ଡାକ୍ତରଖାନାରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।





