ନୟାଗଡ଼,(ବାଘୁଆବାର୍ତ୍ତା) : ମୃତ୍ୟୁ ପରେ ବି ବଞ୍ଚିଲେ ସତ୍ୟବାନ । ଭୁବନେଶ୍ୱର ଖଣ୍ଡଗିରି ପ୍ରେଟୋଲ ଟାଙ୍କି ନିକଟରେ ବସ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ନୟାଗଡ଼ ଜିଲ୍ଲା ସଦରବ୍ଲକ ଅନ୍ତର୍ଗତ ମୁଥାଗାଡ଼ିଆ ପଞ୍ଚାୟତ ଜୟପୁର ଗ୍ରାମର ଉଦୟନାଥ ସାହୁଙ୍କ ପୁଅ ସତ୍ୟବାନ ସାହୁ (୨୪) ପରିବାର ଓ ସଂମ୍ପର୍କୀୟଙ୍କ ପାଇଁ ପୁଣିଥରେ ବଞ୍ଚିଛନ୍ତି । ସୂଚନାନୁସାରେ, ସତ୍ୟବାନ ଭୁବନେଶ୍ୱର ଏକ ଔଷଧ କମ୍ପାନୀରେ ରିପ୍ରେଜେଣ୍ଟିଭ୍ ଭାବେ କାର୍ଯ୍ୟ କରୁଥିଲେ । ସେ କାମ ସାରି ବରମୁଣ୍ଡା ଅଭିମୂଖେ ଫେରିବା ବେଳେ ଚକାଡୋଳା ବସ ସହ ତାଙ୍କ ବାଇକ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଖଣ୍ଡଗିରି ପୁଲିସ ଶବ ଜବତ କରିଥିଲେ । ଖବରପାଇ ପରିବାର ଲୋକେ ସେଠାରେ ପହଂଚି ପୁଅକୁ ଶେଷ ଦର୍ଶନ କରିବା ସହ ଆଖିଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ସତ୍ୟବାନଙ୍କ ଆଖି ସଂଗୃହିତ ହୋଇ ଅନ୍ୟଜଣଙ୍କୁ ସୁନେତ୍ର ପ୍ରଦାନ କରିଥିବା ଜଣାଯାଇଛି । ଯାହାକୁ ନେଇ ସତ୍ୟବାନ ମୃତ୍ୟୁ ପରେ ମଧ୍ୟ ଅନ୍ୟଜଣଙ୍କ ଆଖିରେ ବଞ୍ଚି ରହିଛନ୍ତି ।





