ନୟାଗଡ଼, (ବାଘୁଆବାର୍ତ୍ତା): ଦୁର୍ଘଟଣାର ପେଣ୍ଠସ୍ଥଳୀ ପାଲଟି ଗଲାଣି ଖୋର୍ଦ୍ଧା ବଲାଙ୍ଗିର ୫୭ନଂ ଜାତୀୟ ରାଜପଥର ନୂଆଗାଁ-ବାଣିଗୋଛା ରାସ୍ତା । ଏହି ରାସ୍ତାରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ହେଉଥିବା ଜଣାପଡିଛି । ଆଜି ପୁଣି ଏକ ଦୁର୍ଘଟଣା ଘଟିଥିବା ସାମ୍ନାକୁ ଆସିଛି । ଦୁଇ ବାକ୍ ମୁହାଁମୁହିଁ ଧକ୍କା ହୋଇଥିବା ଫଳରେ ଦୁଇଜଣ ଯାକ ବାଇକ୍ ଆରୋହୀ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତ ଅନ୍ତର୍ଗତ ସରୁପଡା ଗ୍ରାମର ଶିକ୍ଷକ ବିପ୍ର ଚରଣ ଜାନୀ ଓ ବାଣିଗୋଛା ଥାନା ଗ୍ରାମରକ୍ଷୀ ପଦ୍ମଚରଣ ନାୟକଙ୍କ ମଧ୍ୟରେ କାମିଟିପଙ୍ଗା ନିକଟରେ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଉଭୟ ବାଇକ୍ ଚାଳକ ଆହାତ ହୋଇଥିବାରୁ ନିକଟସ୍ଥ ଜନସାଧାରଣ ୧୦୮ଆମ୍ବୁଲାନ୍ସ ମାଧ୍ୟମରେ ବାଣିଗୋଛ ମେଡିକାଲ ଓ ପରେ ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ଦେଇଥିବା ସୂଚନା ମିଳିଛି ।






