ରାଉରକେଲା, (ବାଘୁଆବାର୍ତ୍ତା): ମୃତ୍ୟୁ ଏମିତି ବି ଆସେ । ଦୁଇ ପଇସା ରୋଜଗାର କରିବା ଆଶାରେ ସକାଳୁ ସକାଳୁ ଘରୁ ବାହାରିଥିଲେ । କାମ କରିବା ପରେ ଯାହା ଟଙ୍କା ମିଳିବ ସେଥିରେ ଘରକୁ କିଛି ଭଲ ଜିନିଷ ନେବାକୁ ଆଶା ରଖିଥିଲେ । ମାତ୍ର ସବୁ ଆଶା ଆଶାରେ ରହିଗଲା । ଟ୍ରକ୍ରୁ ମାର୍ବଲ ଖାଲି କରିବାକୁ ଆସିଥିବା ଜଣେ ଶ୍ରମିକଙ୍କ ସେହି ମାର୍ବଲ ତଳେ ଚାପି ମୃତ୍ୟୁ ଘଟିଛି । ତାଙ୍କ ସହ କାମ କରୁଥିବା ଜଣେ ଶ୍ରମିକ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ସମ୍ଭ୍ରାନ୍ତ ଅଞ୍ଚଳ ସିଭିଲ ଟାଉନସିପ୍ରେ ଘଟିଛି । ରଘୁନାଥପାଲୀ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଗୁରୁତର ଓ ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନା ପଠାଇଥିଲା । ଘଟଣାକୁ ନେଇ ପୁଲିସ୍ ଏକ ମାମଲା ରୁଜୁ କରିବା ସହ ଟ୍ରକ୍କୁ ଜବତ କରିଛି । ସିଭିଲ ଟାଉନସିପ୍ କ୍ୱାର୍ଟର୍ସ ନଂ.ଏସ୍/୮ରେ ଘର ନିର୍ମାଣ କାର୍ୟ୍ୟ ଚାଲୁଛି । ରବିବାର ସକାଳେ ଟ୍ରକ୍ ନଂ. ଡବ୍ଲ୍ୟୁବି-୧୧ଡି-୮୨୫୦ଯୋଗେ ମାର୍ବଲ ବୋଝେଇ ହୋଇ ଉକ୍ତ ଘର ସମ୍ମୁଖରେ ପହଞ୍ଚି ଥିଲା । ଟ୍ରକ୍ରେ ବୋଝେଇ ହୋଇଥିବା ୬୦ଟି ମାର୍ବଲ ଖାଲି କରିବା ଲାଗି କିଛି ଶ୍ରମିକଙ୍କୁ ନିୟୋଜିତ କରାଯାଇଥିଲା । ଶ୍ରମିକ ଭାବେ କାର୍ୟ୍ୟ କରୁଥିବା ମାଲଗୋଦାମର ଅଭିଜିତ ବାନାର୍ଜୀଙ୍କ ସମେତ ୧୦ ଜଣ ଶ୍ରମିକ ମାର୍ବଲ ଖାଲି କରୁଥିଲେ । କିଛି ଶ୍ରମିକ ଟ୍ରକ୍ରୁ ମାର୍ବଲ ଖାଲି କରି ନିର୍ମାଣଧୀନ କୋଠା ଭିତରକୁ ନେଉଥିଲେ । ଅଭିଜିଜ ଟ୍ରକ୍ ଉପରେ ଚଢି ମାର୍ବଲ ବାହାର କରୁଥିବା ବେଳେ ଗାଡ଼ିରେ ବୋଝେଇ ହୋଇଥିବା ମାର୍ବଲ ଖଣ୍ଡ ତାଙ୍କ ଉପରେ ପଡ଼ି ଯାଇଥିଲା । ଫଳରେ ମାର୍ବଲ ତଳେ ଚାପି ହୋଇ ଅଭିଜିତଙ୍କ ଘଟଣା ସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା । ପାଖରେ ଛିଡ଼ା ହୋଇଥିବା ଗୁଡୁ ଓ ମୋଟୁ ନାମକ ଦୁଇ ଶ୍ରମିକ ମଧ୍ୟରୁ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ ।






