ବଡବିଲ, (ବାଘୁଆବାର୍ତ୍ତା): ଓଲଟିବା ପରେ ହୁତୁହୁତୁ ହୋଇ ଜଳିଗଲା ହାଇୱା । ଗୁରୁବାର ମଧ୍ୟାହ୍ନରେ ଯୋଡା ଥାନା ବାଂଶପାଣି ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଓଡି୦୯ପି୩୩୨୬ ନମ୍ବର ବିଶିଷ୍ଟ ହାଇୱାଟି ପଛେଇ ପଛେଇ ଯାଇ ରାସ୍ତା କଡ଼ ଖାଲ ଭିତରକୁ ଓଲଟି ପଡିଥିଲା । ଦୁର୍ଘଟଣା ଫଳରେ ସେଥିରେ ନିଆଁ ଲାଗିଯାଇଥିଲା । ଏନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ଗାଡ଼ିର କ୍ୟାବିନ ଓ ଇଞ୍ଜିନ ପୋଡି ପାଉଁଶ ହୋଇଯାଇଥିଲା । ହାଇୱାଟି ଜଳିବା ସମୟରେ ନିକଟରେ ଡ୍ରାଇଭର କି ହେଲପର ଉପସ୍ଥିତ ନଥିଲେ କିମ୍ବା ଦେଖଣାହାରୀ ସଠିକ ଭାବରେ କିଛି କହିପାରୁନାହାନ୍ତି । ତେବେ ହାଇୱାଟି ନିଜେ ନିଜେ ଗଡିଯାଇ ଖାଲ ଭିତରକୁ ଓଲଟି ପଡ଼ିଥିଲା ନା ଡ୍ରାଇଭର ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଇବା ପରେ ସେଠାରୁ ଚମ୍ପଟ ମାରିଥିଲେ ସେନେଇ କିଛି ସ୍ପଷ୍ଟ ହୋଇପାରିନାହିଁ । ଯୋଡ଼ା ପୋଲିସ ଏନେଇ ତଦନ୍ତ ଚଳାଇଛି ।





