ରେଢ଼ାଖୋଲ, (ବାଘୁଆବାର୍ତ୍ତା): ଟ୍ରକ୍ ସହ କାରର ମୁହାଁମୁହିଁ ଧକ୍କା। ଚାଲି ଗଲା ଦୁଇ ଜୀବନ। ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ଅନ୍ତର୍ଗତ କୟାକୁଦ ନିକଟରେ ୫୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ରବିବାର ବିଳମ୍ବିତ ରାତିରେ ଏକ କାରରେ ୪ ଜଣ ବ୍ୟକ୍ତି ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। କୟାକୁଦ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ କାରଟିର ମୁହାଁମୁହିଁ ଧକ୍କା ହୋଇଥିଲା। କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। କାର ଚାଳକ ଓ ସାମ୍ନାରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପଛରେ ବସିଥିବା ଦୁଇ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି। ମୃତାହତ ମାନେ ରାଉରକେଲାର ଛେଣ୍ଡ୍ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲେ। ଯୁଯୁମରା ପୁଲିସ୍ ଘଟଣାର ତଦନ୍ତ କରୁଛି।





