ତେଲକୋଇ, (ବାଘୁଆବାର୍ତ୍ତା): ଲଗାଣ ବର୍ଷା ଯୋଗୁଁ ନାଳରେ ଭାସିଗଲେ ଯୁବକ। ମୃତକ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ। ଗତକାଲି ସକାଳେ ଗୁରଦେବ ଜମିକୁ ହଳ କରିବାକୁ ଯାଇ ଆଉ ଫେରି ନଥିଲେ। ଆଜି ସକାଳେ ମହାଦେଇ ଡ୍ୟାମରେ ତାଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଛି। ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ ତାଙ୍କ ବାପା ଓ ଭାଇଙ୍କ ସହ ଗତକାଲି ସକାଳେ ଜମିକୁ ହଳ କରିବାକୁ ନାଳ ସେପଟକୁ ଯାଇଥିଲେ। ବାପା ଓ ସାନଭାଇଙ୍କ ପାଇଁ ସକାଳ ଖାଇବା ନିମନ୍ତେ ଭାତ ଆଣିବାକୁ ଘରକୁ ନାଳ ପାର ହୋଇ ଆସୁଥିଲେ । ଲଗାଣ ବର୍ଷା ଯୋଗୁଁ ନାଳରେ ହଠାତ୍ ଅଧିକ ପାଣି ଆସିଯିବାରୁ ତାଙ୍କୁ ପାଣି ସୁଅ ଭସାଇ ନେଇଥିଲା। ଗୁରୁଦେବଙ୍କୁ ନପାଇ ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ଖୋଜ ଖବର ମିଳି ନଥିଲା। ଆଜି ସକାଳୁ ଗାଁ ନିକଟ ଜାମ୍ବୁଧର ନାଳ ସଂଯୋଗ କରୁଥିବା ମହାଦେଇ ଡ୍ୟାମରେ ଗୁରୁଦେବଙ୍କ ଶବ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁଦେବଙ୍କ ମୃତଦେହ ଉଦ୍ଧାର କରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ତେଲକୋଇ ମେଡିକାଲକୁ ପଠାଇଛି।






