ପାଣିକୋଇଲି, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ପାଣିକୋଇଲି ଏସପିଙ୍କ ସରକାରୀ ବାସଭବନ ନିକଟରେ ଆଳୁ ବୋଝେଇ ଏକ ଦଶ ଚକିଆ ଟ୍ରକର ଦୁର୍ଘଟଣା। ଦଶ ଚକିଆ ଟ୍ରକ୍ (ନଂ WB 33A 9379) ସହ ତାମିଲନାଡୁର ଏକ ଯାତ୍ରୀବାହି ବସ୍ର ଦୁର୍ଘଟଣା ଘଟି ଚାରି ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ସ୍ଥଳରୁ ବସ୍ ଫେରାର ହୋଇ ଯାଇଥିବାର ପୋଲିସ ସୂଚନା ଦେଇଛି। ଖବର ଅନୁସାରେ, କୋଲକାତାରୁ ତାମିଲନାଡୁ ଯାତ୍ରୀ ନେଇ ଏହି ବସ ଯାଉଥିଲା । ଅନ୍ୟପକ୍ଷେ ଆଳୁ ବୋଝେଇ ଟ୍ରକ କଲିକତାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା। ଏହା ମଧ୍ୟରୁ କୌଣସି ଏକ ଗାଡି ଭାରସାମ୍ୟ ହରାଇ ଭୋର ୪ଟା ୪୦ ମିନିଟ୍ ସମୟରେ ଦୁର୍ଘଟଣା ଘଟାଇ ଥିଲା | ଟ୍ରକ ଘଟଣାସ୍ଥଳରେ ଥିବା ବେଳେ ବସ୍ର ତେଲ ଟାଙ୍କି ଫାଟି ଯାଇଥିଲେ ମଧ୍ୟ ସେ ଫେରାର ହୋଇ ଯାଇଛି । ଟ୍ରକର ଡ୍ରାଇଭର, ହେଲପର ଓ ବସ୍ର ଦୁଇ ଜଣ ଯାତ୍ରୀ ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି |





