ତେଲକୋଇ, (ବାଘୁଆବାର୍ତ୍ତା): ଗଛ ନିକଟରେ ବାଇକ ରଖି ଜଣେ ବସିଥିବା ବେଳେ ଘୋଷାଡି ନେଲା ମାଲବାହୀ ଟ୍ରକ। ଏଥିରେ ବାଇକରେ ବସିଥିବା ଯୁବକ ଜଣକ ଗୁରୁତର ହୋଇଛନ୍ତି। ତେଲକୋଇ ଥାନା ଅନ୍ତର୍ଗତ ହନୁମନ୍ତିଆ ପୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ପାଲ୍ଲଲହଡା ଉପଖଣ୍ଡ ଟମ୍ପର ଗାଁରୁ ମାମୁଁ ଘର ତେଲକୋଇ ତଳସାହିକୁ ଦୁଇ ଯୁବକ ଆସୁଥିଲେ। ହନୁମନ୍ତିଆ ପୋଲ ନିକଟରେ ବାଇକରେ ତେଲ ସରି ଯିବାରୁ ଜଣେ ଟାଙ୍କିକୁ ପେଟ୍ରୋଲ ନେବାପାଇଁ ଆସିଥିଲେ । ଆଉ ଜଣେ ଯୁବକ ମିଥୁନ ନାଏକ ଗୋଟିଏ ଆମ୍ବ ଗଛମୂଳରେ ଗାଡି ଉପରେ ବସିଥିଲେ । ତେବେ ମାଲବାହୀ ଟ୍ରକଟି ତାଙ୍କୁ ପଛପଟୁ ଧକ୍କା ଦେଇ ବାଇକ ସହ ଘୋଷାଡି ନେଇଥିଲା ।ଟ୍ରକଟି ମଧ୍ୟ ରାସ୍ତା କଡକୁ ଓଲଟି ପଡିଥିଲା ।ଫଳରେ ଯୁବକଙ୍କ ବାଇକଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଯୁବକ ଜଣଙ୍କ ଗୁରୁତର ହୋଇପଡିଛନ୍ତି । ଯୁବକ ଜଣଙ୍କୁ ଉଦ୍ଧାର ପ୍ରଥମେ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତେବେ ମାଲବାହୀ ଟ୍ରକ ଗୁଡିକ ୪୯ ନମ୍ବର ଜାତୀୟ ରାଜପଥ ଦେଇ ନଯାଇ ଜଗମୋହନପୁର ଠାରୁ ପୂର୍ତ୍ତ ବିଭାଗ ରାସ୍ତାରେ ତେଲକୋଇ ମାର୍କେଟ ଦେଇ କାଞ୍ଜିପାଣି ଥାନା ସମ୍ମୁଖ ଦେଇ ଯିବା ଆସିବା କରୁଥିବା ରୁ ବାରମ୍ବାର ଦୁର୍ଘଟଣା ଘଟୁଛି ।ଏନେଇ ବିଭିନ୍ନ ସଂଗଠନ ଜିଲ୍ଲା ପ୍ରଶାସନ ଓ ପୁଲିସ କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।