ଚଣ୍ଡିଖୋଲ (ବାଘୁଆବାର୍ତ୍ତା): ବାହାଘର ପାଇଁ ଝିଅ ଘର ଅଭିମୁଖେ ଚାଲିଥିଲା ବର ଗାଡ଼ି । ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଘଟିଗଲା ଦୁର୍ଘଟଣା । ଟ୍ରକ ଧକ୍କାରେ ଦୁର୍ଘଟଣାଗ୍ରସ୍ତ ହେଲା ବର ଗାଡ଼ି । ସୌଭାଗ୍ୟର କଥା ଅଳ୍ପକେ ବର୍ତ୍ତି ଯାଇଇନ୍ତି ବର ଓ ଅନ୍ୟ ଯାତ୍ରୀ । ଯାଜପୁର ଜିଳ୍ଲା ବାଲିିଚନ୍ଦ୍ରପୁର ଥାନା ଅନ୍ତର୍ଗତ ମାଣ୍ଡୁକା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ବର ଗାଡ଼ି ସହ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ବର ଗାଡିଟି ରାସ୍ତା କଡରେ ଏକ ଗଛରେ ପିଟି ହୋଇ ଚାପି ହୋଇ ରହିଛି । ଗାଡ଼ିରେ ବର ସହ ଅନ୍ୟ ଯାତ୍ରୀ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁସାରେ, ବର ଗାଡ଼ିଟି ବାଲିକୁଦାରୁ ଚୌଦ୍ୱାରା ଅଭିମୁଖେ ଯାଉଥିବା ବେଳେ, ମାଣ୍ଡୁକି ଛକ ନିକଟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଟ୍ରକ ଡ୍ରାଇଭରଙ୍କ ଅସାବଧାନତା ପାଇଁ ଏ ଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବର ଗାଡ଼ିଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର ଓ ଅନ୍ୟ ଯାତ୍ରୀମାନଙ୍କୁ ଅନ୍ୟ ଏକ ଗାଡ଼ିରେ ହସ୍ପିଟାଲ ପଠାଇ ଦିଆଯାଇଛି । ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୁଲିସ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।






