ଉଦଳା, (ବାଘୁଆବାର୍ତ୍ତା): ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର । ବାପଘରକୁ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣା । ମହିଳା ଗୁରୁତର ହୋଇଥିବା ବେଳେ ନଣଦେଇଙ୍କ ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କାଲାଡାହି ଛକ ନିକଟରେ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳ ସମୟରେ ଖଲାଡି ଗ୍ରାମର ପୂଜା ଦେହୁରୀ ନିଜ ୧୦ ବର୍ଷର ଝିଅ ଦେବକୀ ଦେହୁରୀକୁ ସାଙ୍ଗରେ ଧରି ନଣଦେଇ ବାବୁରାମ ବେହେରାଙ୍କ ସହିତ ବାଲେଶ୍ବର ଜିଲ୍ଲା ଛତ୍ରପୁର ଅଂଚଳ ତାଙ୍କ ବାପଘରକୁ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ପରିବା ବୋଝେଇ କରି ଉଦଳା ଅଭିମୁଖେ ଆସୁଥିବା ଏକ ପିକଅପ୍ ଭ୍ୟାନ୍ କାଲାଡାହି ଛକ ନିକଟରେ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକ ବାବୁରାମ ଗାଡିରୁ ଛିଟିକି ପଡି ପୋଲ ତଳେ ପଡିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ବାଇକରେ ଥିବା ପୂଜାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ମୁଣ୍ଡର ଗଭୀର କ୍ଷତ ଲାଗିଥିବା ବେଳେ ହାତ ଭାଙ୍ଗିଯାଇଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପିକଅପକୁ ଜବତ କରିବା ସହିତ ପିକଅପ୍ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ଅନ୍ୟପଟେ ଅଗ୍ନିଶମ ବିଭାଗ କର୍ମଚାରୀ ମୃତଦେହକୁ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ପଠାଇବା ସହିତ ଗୁରୁତର ପୂଜାକୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।






