ଗୋପାଳପୁର, (ବାଘୁଆବାର୍ତ୍ତା): ରାତି ପାହିଲେ କୁମାର ପୂର୍ଣ୍ଣିମା। ବଜାରକୁ ଯାଇଥିଲେ ନୂଆ ଡ୍ରେସ ଆଣିବାକୁ। ମନରେ ଖୁସି ଥିଲା କୁମାର ପୂର୍ଣ୍ଣମିରେ ନୂଆ ଡ୍ରେସ ପିନ୍ଧିବେ। ମାତ୍ର ଏ ଖୁସି ବେଶି ସମୟ ରହିଲାନି। ମୃତ୍ୟୁ ଯେମିତି ବାଟ ଜଗି ବସିଥିଲା। ଦୁର୍ଘଟଣାରେ ଚାଲିଗଲା ଜୀବନ । ଏଭଳି ଏକ ଘଟଣା ଘଟିଛି ଗୋପାଳପୁର ଛକ ନିକଟରେ। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ଏକ ଅଜଣା ଗାଡ଼ି ବାଇକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇପଡ଼ିଛନ୍ତି। ମୃତକ ହେଲେ ନିକଟସ୍ଥ କରାପଲ୍ଲୀ ଗ୍ରାମର ଏନ୍.ଭେଙ୍କଟେଶ ରେଡ୍ଡୀ । ବାପା ଏନ୍.ସନ୍ତୋଷ ରେଡ୍ଡୀ ଓ ପୁଅ ଏନ୍.ଭବାନୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନି ଜଣ ବାପା, ପୁଅ ଓ ପୁତୁରା ବ୍ରହ୍ମପୁରରୁ ଡ୍ରେସ କିଣି ଫେରୁଥିଲେ । ଏହି ସମୟରେ ଗୋପାଳପୁର ଛକ ଭକ୍ତ ସାଲବେଗ ନଗର ନିକଟ ଜାତୀୟ ରାଜପଥ ୧୬ରେ ଦୁର୍ଘଟଣା ଘଟିଥିଲା। କୌଣସି ଏକ ଗାଡି ଦ୍ରୁତ ଗତିରେ ଆସି ସେମାନେ ଆସୁଥିବା ମୋଟର ସାଇକଲ (ଓଆର୍୦୭ଏନ୍-୭୯୩୯)କୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ପରେ ମୋଟର ସାଇକେଲଟି ରାଜପଥ କଡ ନାଳରେ ଛିଟିକି ପଡ଼ିଥିଲା। ଭେଙ୍କଟେଶଙ୍କ ମୁଣ୍ଡ, ମୁହଁ, ଗୋଡ଼ ହାତରେ ମାଡ ବାଜିଥିଲା। ଘଟଣାସ୍ଥଳରେ ତାଙ୍କ ଜୀବନ ଚାଲି ଯାଇଥିଲା। ଗୋପାଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।






