ଆନନ୍ଦପୁର, (ବାଘୁଆବାର୍ତ୍ତା): ଆନନ୍ଦପୁର ନନ୍ଦିପଦା ଥାନା ଶାଳକଣିଆଁ ଗାଁର ଦୈତାରୀ ପାତ୍ର ହତ୍ୟାକାଣ୍ଡ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ପଡୋଶୀ ଘରର କଳିରେ ଭଦ୍ରଲୋକ ହୋଇ ବୁଝାସୁଝା କରାଇବାକୁ ଯାଇ ପ୍ରାଣ ହରାଇଥିଲେ ଦୈତାରୀ । ଗିରଫ ଅଭିଯୁକ୍ତ ହେଲେ ସନାତନ ଜେନା, ନନ୍ଦକିଶୋର ଜେନା ଓ ଆନନ୍ଦ ଜେନା । ଗିରଫ ପରେ ସମସ୍ତଙ୍କ ଡାକ୍ତରୀ ମାଇନା କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ମୋଟ୍ ୯ ଜଣଙ୍କ ସଂପୃକ୍ତି ନେଇ ଅଭିଯୋଗ ହୋଇଥିଲା । ତେବେ ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏହି ମାମଲାରେ ଗିରଫ ସଂଖ୍ୟା ୮ରେ ପହଞ୍ଚିଛି । ଏବେବି ଏହି ହତ୍ୟାକାଣ୍ଡ ମାମଲାରେ ଜଣେ ଅଭିଯୁକ୍ତ ଫେରାର ଅଛି । ଗତ ଜୁନ୍ ମାସ ୨୫ ତାରିଖରେ ଗାଁର ଆନନ୍ଦ ଜେନାଙ୍କ ଘରେ ପୁଅମାନେ ଝଗଡା ଲାଗିଥିବାବେଳେ ପଡୋଶୀ ଦୈତାରୀ ପାତ୍ରଙ୍କୁ ଆନନ୍ଦ ପୁଅମାନଙ୍କୁ ବୁଝାସୁଝା କରିବାକୁ ଡାକିଥିଲେ । ହେଲେ ଏହି ସମୟରେ ଉତକ୍ଷିପ୍ତ ହୋଇ ଅନନ୍ଦଙ୍କ ୪ ପୁଅ ଓ ଘରେ ଥିବା ସମ୍ପର୍କୀୟ ସଂଘବଦ୍ଧ ଭାବେ ଦୈତାରୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପାଟିତୁଣ୍ଡ ଶୁଣି ଦୈତାରୀଙ୍କ ସାନଭାଇ ଅଶୋକ ଓ ଭାଇବୋହୂ ସସ୍ମିତା ତାଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିବା ବେଳେ ସେମାନେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଗୁରୁତର ଦୈତାରୀଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।






