ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟସ୍ତରରେ ଅନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟର ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଏହି ଅବସରରେ ଆଇପାସ ଓ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ସେମିନାରରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ବିଶେଷଜ୍ଞମାନେ ଯୋଗଦେଇ ନିରାପଦ ଗର୍ଭପାତର ନିୟମ ଓ ଚିକିତ୍ସା ସମ୍ବନ୍ଧୀୟ ଦିଗ ଉପରେ ଆଲୋକପାତ କରିଥିଲେ । ଆଇଡିଏଫ୍ ନୂଆଦିଲ୍ଲୀର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡା. ସଙ୍ଗୀତା ବାତ୍ରା ୨୦୨୧ରେ ଏମ୍ଟିପି ଅଧିନିୟମରେ କରାଯାଇଥିବା ସଂଶୋଧନ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ । ଭୁବନେଶ୍ୱର ଏମ୍ସର ଡା. ପୃଥ୍ୱୀରାଜ ସେଠୀ ଓ ସମ୍ ହସ୍ପିଟାଲର ଡା. ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞମାନେ ଅନିଚ୍ଛାକୃତ ଗର୍ଭ ଓ ନିରାପଦ ଗର୍ଭପାତ ସମ୍ପର୍କରେ ବୁଝାଇଥିଲେ । ସେମିନାର ଉଦ୍ଘାଟନ ଉତ୍ସବରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ (ଜନସ୍ୱାସ୍ଥ୍ୟ) ଡ. ଅଜିତ କୁମାର ମହାନ୍ତି, ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡ. ବିଜୟ କୁମାର ପାଣିଗ୍ରାହୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ନିର୍ଦ୍ଦେଶକ ଡ. ଅମରେନ୍ଦ୍ରନାଥ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଡ. ମୂରଲୀଧର ପାଢ଼ୀ ସ୍ୱାଗତ ଭାଷଣ ଓ ଡ. ଦୀନବନ୍ଧୁ ସାହୁ ଧନ୍ୟବାଦ ଦେଇଥିଲେ ।






