ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବ । ମନ୍ଦିର ବନ୍ଦ ରହିଲେ ବି ଶ୍ରଦ୍ଧାଳୁମାନେ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବେ ନାହିଁ । ପୂର୍ବ ଭଳି ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଅବଢ଼ା ପାଇଁ ସ୍ୱତନ୍ତ୍ର କାଉଣ୍ଟରର ବ୍ୟବସ୍ଥା କରାଯିବ । କାଉଣ୍ଟରରେ ଟୋକନ୍ କାଟିବା ପରେ ଆନନ୍ଦ ବଜାରରୁ ଅବଢ଼ା ସିଧା ଭକ୍ତଙ୍କ ପାଖରେ ପହଞ୍ଚା ଯିବ । ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ଆବଶ୍ୟକ କରୁଥିବା ଅବଢ଼ା ଏହି କାଉଣ୍ଟରରୁ ନେଇପାରିବେ । ଏ ନେଇ ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ କହିଛନ୍ତି, ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଆମେ ଅବଢ଼ା ଦେବୁ । ଅର୍ଥାତ୍ ଯିଏ ଯେତେ ଚାହିଁବ, ତାକୁସେହି ପରିମାଣର ଅବଢ଼ା ଦିଆଯାଇପାରିବ ନାହିଁ । ତେଣୁ ଆମେ ଶ୍ରଦ୍ଦାଳୁଙ୍କୁ ସୀମିତ ଅବଢ଼ା ଦେବୁ । ଶ୍ରଦ୍ଧାଳୁମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ତାକୁ ଆଖି ଆଗରେ ରଖି ଆମେ ବ୍ୟବସ୍ଥା କରିବୁ ବୋଲି ଶ୍ରୀ ପ୍ରତିହାରୀ କହିଛନ୍ତି ।





