ନୟାଗଡ଼, (ବାଘୁଆବାର୍ତ୍ତା): କଟକ କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ଟିମ୍ ଖଣ୍ଡପଡ଼ା ଓ ଫତେଗଡ଼ ଥାନା ଇଲାକାର ବିଭିନ୍ନ ସ୍ଥାନରେ ଅଚାନକ ଚଢ଼ାଉ କରି ଚୋରାରେ ଦେଶୀ ମଦ ବିକ୍ରୀ କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଖଣ୍ଡପଡ଼ା ସବ୍ଜେଲକୁ ପଠାଇ ଦିଆଯାଇଥିବା ଜଣାଯାଇଛି । କେନ୍ଦ୍ରାଚଂଳ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ଫତେଗଡ଼ ଥାନା ଅଧିନ ପଦ୍ମାବତୀ ଓ କରବର ଗ୍ରାମରେ ଚଢ଼ାଉ କରି ଦେଶୀ ମଦ ବେପାରୀ ବିଚିତ୍ର ବେହେରା ଓ ମହିଳା ମଦ ବେପାରୀ ଗୋଲାପି ଦଳେଇଙ୍କୁ ଗିରଫ କରିବା ସହ ସେମାନଙ୍କ ଘରେ ମହଜୁଦ ଥିବା ଦେଶୀମଦକୁ ଜବତ କରିଥିବା ଜଣାଯାଇଛି । ସେହିପରି ଖଣ୍ଡପଡା ସହରବାସୀଙ୍କ ସୂଚନାକ୍ରମେ ଅବକାରୀ ଟିମ୍ ୮ନଂ ୱାର୍ଡ ଅଧିନ କୁମ୍ଭାରସାହିର କାଉନସିଲର ନିଳେନ୍ଦ୍ରୀ ସାହୁଙ୍କ ବାସଭବନରେ ଅଚାନକ ଚଢ଼ାଉ କରି ୨୦ ଲିଟରରୁ ଉର୍ଦ୍ଧ ଦେଶୀ ମଦ ଜବତ କରିବା ସହ ଜନୈକା ମହିଳା ସୁମିତ୍ରା ସାହୁଙ୍କୁ ଗିରଫ କରିଥିବା ଜଣାଯାଇଛି । ଏ ସଂପର୍କରେ ଅବକାରୀ ବିଭାଗ ପକ୍ଷରୁ ମାମଲା ରୁଜୁ ହୋଇଥିବା ଜଣାଯାଇଛି ।






