ୱାସିଂଟନ୍,(ବାଘୁଆବାର୍ତ୍ତା): ୨୦୨୨ ଶେଷ ସୁଦ୍ଧା ବୈଶ୍ବିକ ଯୋଗାଣ ବୃଦ୍ଧି କରିବା ଲାଗି ଭାରତରେ ଅନ୍ୟୂନ ୧ ବିଲିୟନ୍ ଡୋଜ୍ କୋଭିଡ୍ ଟିକା ଉତ୍ପାଦନ କରାଇବାରେ ସହଯୋଗ କରିବା ପାଇଁ ‘କ୍ବାଡ୍ ରାଷ୍ଟ୍ରସମୂହ’- ଯୁକ୍ତରାଷ୍ଟ୍ର ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ ଲକ୍ଷ୍ୟ ରଖିଥିବା କଥା ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ଗତକାଲି ଭର୍ଚ୍ୟୁଆଲ୍ ‘ଗ୍ଲୋବାଲ୍ କୋଭିଡ୍-୧୯ ଶିଖର ସମ୍ମଳନୀ’ରେ ଅଭିଭାଷଣ ଦେବା ବେଳେ ଜୋ ବାଇଡେନ୍ କହିଲେ, ସ୍ବଦେଶରେ ନିରାପଦ ଏବଂ ଅତୀବ ଫଳପ୍ରଦ ଟିକା ଉତ୍ପାଦନ ଏବଂ ତିଆରି ପାଇଁ ନିଜସ୍ବ କ୍ଷମତା ଓ ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଆମେ ଆମର ଭାଗିଦାରୀ ଦେଶ, ଔଷଧ କମ୍ପାନି ଏବଂ ଅନ୍ୟ ନିର୍ମାତାମାନଙ୍କ ସହ କାର୍ଯ୍ୟ କରୁଛୁ। ଉଦାହରଣସ୍ବରୂପ, ୨୦୨୨ ଶେଷ ସୁଦ୍ଧା ବୈଶ୍ବିକ ଯୋଗାଣ ବୃଦ୍ଧି କରିବା ଲାଗି ଭାରତରେ ଅନ୍ୟୂନ ୧ ବିଲିୟନ୍ ଡୋଜ୍ କୋଭିଡ୍ ଟିକା ଉତ୍ପାଦନ କରାଇବାରେ ସହଯୋଗ କରିବା ପାଇଁ ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ ଆମ ‘କ୍ବାଡ୍’ ଭାଗିଦାରୀ ଲକ୍ଷ୍ୟ ପଥରେ ରହିଛନ୍ତି ବୋଲି ଜାତିସଂଘ ସାଧାରଣ ପରିଷଦ୍ ଅଧିବେଶନ ବାହାରେ ଆୟୋଜିତ ଉକ୍ତ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି। ଟିକାକାରଣ କୋଭିଡ୍-୧୯ର ସର୍ବୋତ୍ତମ ସମାଧାନ ବୋଲି ଗୁରୁତ୍ବାରୋପ କରି ଜୋ ବାଇଡେନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆମେରିକାରେ ମହାମାରୀକୁ ପରାସ୍ତ କରିବାକୁ ହେଲେ, ତା’କୁ ଆମେ ସର୍ବତ୍ର ପରାସ୍ତ କରିବା ଆବଶ୍ୟକ। ନୂତନ ପ୍ରତିଶ୍ରୁତି ଦେଇ ସେ ପୁଣି ମଧ୍ୟ କହିଛନ୍ତି ଯେ, ଆଜି ସୁଦ୍ଧା ଆମେ ଆମେରିକାରେ ଯେତେ ଡୋଜ୍ ଟିକା ଦେଇଛୁ, ବିଶ୍ବର ବାକି ସମସ୍ତ ଅଞ୍ଚଳ ପାଇଁ ତା’ର ୩ଗୁଣା ଟିକା ଦେବାକୁ ପ୍ରତିବଦ୍ଧ ହୋଇଛୁ।






