ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜଧାନୀରୁ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ଭରତପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଥିବା ତପୋବନ ଜଙ୍ଗଲରୁ ମିଳିଛି ମୃତଦେହ। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକଙ୍କ ନାଁ ମନୋଜ କୁମାର ଗୌଡ଼ ଏବଂ ଘର ତପୋବନ ବସ୍ତିରେ ବୋଲି ଜଣାପଡିଛି । ମିସ୍ତ୍ରୀ ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି ମନୋଜ। ମୃତଦେହରେ କୌଣସି କ୍ଷତଚିହ୍ନ ନାହିଁ । କିନ୍ତୁ ବିଦ୍ୟୁତ ତାରକୁ ଧରିଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରୁଛି। ଜଙ୍ଗଲ ଭିତରେ କିନ୍ନର ମାନେ ରାତି ବେଳା ଚଳପ୍ରଚଳ କରୁଥିବାରୁ କେହି ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାରିଥିବା ସନ୍ଦେହ କରାଯାଉଛି । ମନୋଜଙ୍କ ମୃତ୍ୟୁ ଖବର ପାଇ ଶହ ଶହ ସ୍ଥାନୀୟ ଲୋକେ ସେଠାରେ ରୁଣ୍ଡ ହୋଇଛନ୍ତି । ଭରତପୁର ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତିକୁ ନେଇ ଘଟଣାସ୍ଥଳରେ ଯାଞ୍ଚ କରୁଛି । ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ସୂଚନା ଦେଇଛି ପୋଲିସ ।





