ନୟାଗଡ଼, (ବାଘୁଆବାର୍ତ୍ତା): କୋଭିଡ-୧୯ ଯୋଗୁଁ ସାରାଦେଶରେ ଲକଡାଉନ ବ୍ୟବସ୍ଥା ଲାଗିରହିଛି । ତେଣୁ କାମଧନ୍ଦା ନପାଇ ମହିଳାଙ୍କଠାରୁ ଆରମ୍ଭ କରି ଶ୍ରମଜୀବି ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଗତ ୪ମାସ ଧରି ଘରେ ହାତବନ୍ଧି ବସି ରହିଛନ୍ତି । ଦାରିଦ୍ର୍ୟର ସୀମାରେଖା ତଳେ ବସବାସ କରୁଥିବା ଏହି ଧରଣର ପରିବାରବର୍ଗଙ୍କ ନିକଟରେ ଏବେ ଅର୍ଥର ଅଭାବ ଦେଖାଦେଇଛି । ତେବେ ମହିଳା ଓ ଶ୍ରମଜୀବିମାନଙ୍କୁ ଆର୍ôଥକ ସ୍ୱାବଲମ୍ବୀ କରିବାର ମହତ ଲକ୍ଷ୍ୟ ନେଇ ଖଣ୍ଡପଡା ଏନ୍ଏସି କର୍ତୃପକ୍ଷ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଏନ୍ଏସି କର୍ତ୍ତୁପକ୍ଷ ମହିଳା ଗୋଷ୍ଠୀର ସଦସ୍ୟା ଓ ଶ୍ରମଜୀବିମାନଙ୍କୁ ନୂତନ ପୋଖରୀ ଖନନ, ପୁରାତନ ପୋଖରୀ ଓ ସହରାଚଂଳର ଗଳିକନ୍ଦିରେ ଅବସ୍ଥିତ ଡ୍ରେନ୍ ଗୁଡ଼ିକରୁ ପଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଥିବା ଜଣାପଡିଛି । ଖଣ୍ଡପଡା ସହରର ୧୩ଟି ୱାର୍ଡରେ ଯୁଦ୍ଧକାଳୀନ ଭିତିରେ ଡ୍ରେନ୍ରୁ ପଙ୍କଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୧୮ରୁ ଉର୍ଦ୍ଧ ମହିଳା ଗୋଷ୍ଠୀର ୭୦ରୁ ଉର୍ଦ୍ଧ ସଦସ୍ୟା ଦୈନିକ କାର୍ଯ୍ୟ ତଦାରଖ କରୁଥିବା ଜଣାପଡିଛି । ମହିଳା ଗୋଷ୍ଠୀ ସହାୟତାରେ ୭ନଂ ୱାର୍ଡ ହରିଜନସାହି ପୁରୁଣା ପୋଖରୀରୁ ପଙ୍କ ଉଦ୍ଧାର କରାଯାଇଥିବା ବେଳେ ୧ନଂ ୱାର୍ଡ ଅଧିନ ଟିଙ୍କଚୁଆ ଓ କରଡ଼ାବଣି ଗ୍ରାମଠାରେ ୨ଟି ନୂତନ ପୋଖରୀ ଖନନ କରାଯାଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । କାର୍ଯ୍ୟରେ ନିୟୋଜିତ ମହିଳାମାନେ ରାତିପାହିଲେ ସହରର ବିଭିନ୍ନ ଗଳିକନ୍ଦିରେ ପହଂଚି ଡ୍ରେନ ସଫେଇ କାର୍ଯ୍ୟ ତଦାରଖ କରୁଥିବା ନଜରକୁ ଆସୁଛି । କରୋନା କଟକଣା ସମୟରେ ଜୀବନକୁ ବାଜି ଲଗାଇ ଉନ୍ନୟନମୂଳକ କାର୍ଯ୍ୟରେ ନିୟୋଜିତ ମହିଳାମାନଙ୍କ କାର୍ଯ୍ୟଦକ୍ଷତା ଓ କାର୍ଯ୍ୟ ଶୈଳୀକୁ ନେଇ ଏନ୍ଏସି କର୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ସନ୍ତୋଷ ପ୍ରକାଶ କରିଥିବା ସୂଚନା ମିଳିଛି ।






