ମାଲକାନଗିରି, (ବାଘୁଆବାର୍ତ୍ତା): ୯ମ ଶ୍ରେଣୀ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଗମ୍ଫାକୋଣ୍ଡା ସରକାରୀ ଅନୁସୂଚିତ ଜାତି ଜନଜାତି ହାଇସ୍କୁଲ ହଷ୍ଟେଲ ନିକଟ ଏକ ମହୁଲ ଗଛରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ରବିବାର ଦିନ ଗମ୍ଫାକୋଣ୍ଡା ସଦର ମହାକୁମାଠାରେ ଥିବା ସରକାରୀ ଅନୁସୂଚିତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟରେ ସରସ୍ୱତୀଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥିଲା। ସୋମବାର ରାତି ୯ଟାରେ ରିଗାନ ମାଡକାମୀ ନାମକ ଜଣେ ୯ମ ଶ୍ରେଣୀ ଛାତ୍ର ମୋ ପାଇଁ ଭାତ ବାଢି ରଖ ମୁଁ ଆସୁଛି ବୋଲି ଅନ୍ୟ ଛାତ୍ରମାନଙ୍କୁ କହିଥିଲେ। ହେଲେ ରିଗାନ ଭାତ ଖାଇବାକୁ ଆସି ନଥିଲେ। ରାତିରେ ସେହି ବିଦ୍ୟାଳୟର କିଛି ଛାତ୍ର ପାଚେରୀ କଡ଼କୁ ଶୌଚ କରିବାକୁ ଯାଇଥିବା ବେଳେ ରିଗାନ ଏକ ମହୁଲ ଗଛରେ ଝୁଲୁଥିବା ଦେଖି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଡାକିଥିଲେ। ଏ ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ କାଲିମେଳା ଥାନାରେ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛ। ରିଗାନଙ୍କ ପରିବାରଙ୍କୁ ଜଣାଇବା ପରେ ସେମାନେ ମଧ୍ୟ ରାତିରେ ସ୍କୁଲରେ ପହଁଚିଛନ୍ତି। ଆଜି କୋରାପୁଟରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ମୃତଦେହକୁ ବ୍ୟବଛେଦ ନିମନ୍ତେ ପଠାଯିବ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ମୃତ ଛାତ୍ରଙ୍କ ଘର ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ କାମ ବେଡା ଗ୍ରାମରେ ବୋଲି ଜଣାପଡିଛି। ତେବେ ପୁଅର ଆତ୍ମହତ୍ୟା ଘଟଣାକୁ ପରିବାର ଲୋକେ ସହଜରେ ଗ୍ରହଣ କରୁନଥିବାର ସୂଚନା ମିଳିଛି।