ଜୟଦେବ ଭବନ ପାଠାଗାର ଛାତ୍ର ଫୋରମ୍ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୦ ହଜାର ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି, ଆଜି ଜୟଦେବ ଭବନ ପରିସରସ୍ଥିତ ଗୀତଗୋବିନ୍ଦ ସଦନଠାରେ ଅବସ୍ଥିତ ଜୟଦେବ ଭବନ ପାଠାଗାର ଗୃହରେ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ରଙ୍କ ମାଧ୍ୟମରେ ଫୋରମ୍ର କର୍ମକର୍ତ୍ତାମାନେ ଏହି ଅନୁଦାନ ରାଶି ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଜୟଦେବ ଭବନ ପାଠାଗାର ନିକଟ ଅତୀତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଣୀତ ‘ମୋ ସରକାର’ରେ ସାମିଲ୍ ହୋଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସୁବିଧାସୁଯୋଗ ଯୋଗାଇ ଦେଇ ଏକ ଆଦର୍ଶ ପାଠ୍ୟ ପରିବେଶ ସୃଷ୍ଟି କରିଛି । ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ସୁପରିଚାଳିତ ଏହି ପାଠାଗାରରେ ପଢ଼ି ଅନେକ କୃତୀ ଛାତ୍ରଛାତ୍ରୀ ଭାରତ ସରକାର, ଓଡ଼ିଶା ସରକାର ତଥା ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାରେ ସଫଳ ଭାବେ ନିଯୁକ୍ତ ହୋଇଛନ୍ତି । ଏହି ଛାତ୍ରମାନଙ୍କ ଦ୍ୱାରା ଗଠିତ ଫୋରମ୍ ଜୟଦେବ ଭବନ ପାଠାଗାର ପ୍ରତି ଥିବା ତାଙ୍କର ଅନୁରକ୍ତିର ନିଦର୍ଶନ ସ୍ୱରୂପ ବିଭିନ୍ନ ପୂଜାପାର୍ବଣରେ ସାମିଲ ହୋଇଥାନ୍ତି । ଫୋରମ୍ର ଏହି ଅନୁଦାନ ହସ୍ତାନ୍ତର ସମୟରେ ସୂଚନା ଓ ଲୋକସଂପର୍କ ବିଭାଗର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ଜୟଦେବ ଭବନର ଭାରପ୍ରାପ୍ତ ଉପନିର୍ଦ୍ଦେଶକ ଶ୍ରୀ ସୂର୍ଯ୍ୟରଞ୍ଜନ ମହାନ୍ତି, ପରିଚାଳକ ତଥା ସୂଚନା ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ଉପସ୍ଥିତ ଥିବାବେଳେ ଫୋରମ୍ର କର୍ମକର୍ତ୍ତା ଶ୍ରୀ ସୌମ୍ୟରଞ୍ଜନ ମୂଳିଆ, ଶ୍ରୀ ରବିନାରାୟଣ ପାତ୍ର, ଶ୍ରୀ ନିତେଶ କୁମାର ସ୍ୱାଇଁ ତଥା ଶ୍ରୀ ଏସ୍. ବିକାଶ କୁମାର ଉପସ୍ଥିତ ଥିଲେ ।






