ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ନୟାଗଡ଼ ବଜାରରେ ହଠାତ୍ ଆସି କିଛି ବଙ୍ଗ ଫେରନ୍ତା ଏକ ବସ୍ରୁ ଓହ୍ଲାଇ ଇତସ୍ତତଃ ଭାବେ ଏଣେ ତେଣେ ବୁଲିଥିଲେ । ଏହି ବଙ୍ଗ ଫେରନ୍ତାମାନେ ଆସି ନୟାଗଡ଼ ହେଡ୍ ପୋଷ୍ଟ ଅଫିସ୍ ପାଖେ ଓହ୍ଲାଇବା ପରେ ବସ ଫେରି ଯାଇଥିଲା । ପରେ ସେମାନଙ୍କ ମଧ୍ୟରୁ କିଛି ଖୋର୍ଦ୍ଧା ବଲାଙ୍ଗୀରି ଜାତୀୟ ରାଜପଥରେ ଏପଟ୍ ସେପଟ୍ ହେବା ସହ ଅନ୍ୟ କିଛି ପ୍ରବାସୀ ନୟାଗଡ଼ ବ୍ଲକ ପରିସରରେ ପଶିଥିଲେ । ସେମାନଙ୍କୁ ଦେଖି କିଛି ବ୍ୟକ୍ତି କେଉଁଠୁ ଆସିଛନ୍ତି, ସେ ନେଇ ପଚାରଉଚରା କରିବା ପରେ ଫେରନ୍ତା ପ୍ରବାସୀମାନେ ସେମାନଙ୍କୁ ତୋଡ଼ ଦେଖାଇବାକୁ ମଧ୍ୟ ପଛାଇନଥିଲେ । ପରେ ପୈାର କର୍ମଚାରୀ ଏବଂ ବ୍ଲକ କର୍ମଚାରୀମାନେ ସେମାନଙ୍କୁ ଆକଟ କରି ବ୍ଲକ ପରିସରରେ ରହିଥିବା ଗ୍ୟାରେଜ୍ ଭିତରେ ଅଟକ ରଖିଥିବା ଜଣାଯାଇଛି । ଦୀର୍ଘ ସମୟ ଧରି ପ୍ରଶାସନର ଘାଣ୍ଟ ଚକଟା ପରେ ଏହି ବଙ୍ଗ ଫେରନ୍ତାଙ୍କ ମଧ୍ୟରୁ ଓଡ଼ଗାଁ ବ୍ଲକର ୧୨ ଜଣ ଏବଂ ନୟାଗଡ଼ ବ୍ଲକର ୬ ଜଣଙ୍କୁ ଖୁଣ୍ଟୁବନ୍ଧ ଆଇଟିଆଇ କେନ୍ଦ୍ରରେ ପ୍ରସ୍ତୁତ କରଯାଇଥିବା ସଂଙ୍ଗରୋଧ ଗୃହରେ ରଖାଯାଇଛି । ସେହିପରି ଭାପୁର ବ୍ଲକର ଜଣେ ପ୍ରବାସୀଙ୍କୁ ଭାପୁର ପଠାଯାଇଥିବା ଜଣାଯାଇଛି । ଅନ୍ୟ କିଛି ଫେରନ୍ତା ଖସି ଯାଇଥିବା ସନ୍ଦେହ କରାଯାଉଛି । ଅନ୍ୟପକ୍ଷେ, ଏହି ବଙ୍ଗ ଫେରନ୍ତା ପ୍ରବାସୀଙ୍କ ପାଇଁ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମେତ ସଂପୃକ୍ତ ଅଂଚଳକୁ ସାନିଟାଇଜେସନ୍ କରାଯାଇଛି । ଯେତିକି ପ୍ରବାସୀ ରାଜ୍ୟ ସରକାରଙ୍କ ନିୟମନୁସାରେ ନାମ ପଂଜିକରଣ କରି ଫେରୁଛନ୍ତି, ସେମାନେ ଫେରୁଥିବା ନେଇ ଜିଲ୍ଲା ପ୍ରଶାସନ ପାଖରେ ଖବର ପହଂଚୁଛି । ମାତ୍ର ଅନେକ ପ୍ରବାସୀ ବିନା ପଂଜିକରଣ ଏବଂ ବିନା ସୂଚନାରେ ଫେରୁଥିବାକୁ ନେଇ ପ୍ରଶାସନ ନାକେଦମ ହେଉଛି ।






