ଭଦ୍ରକ (ବାଘୁଆବାର୍ତ୍ତା): ଭଦ୍ରକ ଓକିଲ ସଂଘ ନିର୍ବାଚନରେ ସଭାପତି ଭାବରେ ଜିଲ୍ଲାର ବରିଷ୍ଠ ଅଧିବକ୍ତା ନିରାକାର ଜେନା ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବରେ ବରିଷ୍ଠ ଅଧ୍ଵବକ୍ତା ଦିବ୍ୟସିଂହ ନାୟକ ନିର୍ବାଚିତ ହୋଇଛନ୍ତି। ସେହିପରି ଉପସଭାପତି ଭାବରେ ମନୋରଞ୍ଜନ ଦାସ, ଯୁଗ୍ମ ସମ୍ପାଦକ ଭାବରେ ନିକୁଞ୍ଜ କିଶୋର ପୁହାଣ, ସହ ସମ୍ପାଦକ ଭାବରେ ଗିରିଜା ଶଙ୍କର ଦାସ, ସହ ସମ୍ପାଦକ ଭାବରେ ବିଶ୍ବଜିତ ରାଉତ, କୋଷାଧ୍ୟକ୍ଷ ଭାବରେ କିଶୋର ବଳ ନିର୍ବାଚିତ ହୋଇଛି। ସୂଚନାଯୋଗ୍ୟ, ଭଦ୍ରକ ଓକିଲ ସଂଘ ନିର୍ବାଚନର ଚୂଡ଼ାନ୍ତ ଭୋଟର ତାଲିକାରେ ୮୭୩ ଜଣ ସଦସ୍ୟ ନାମ ପ୍ରକାଶ ପାଇଥିଲେ ମଧ୍ୟ ସେଥିମଧ୍ୟରୁ ୩ ଜଣ ଆଇନଜୀବୀ ମୃତ୍ୟୁବରଣ କରିସାରିଛନ୍ତି। ଆଜି ପୁରୁଣା କୋର୍ଟ ପରିସରରେ ଥିବା ଓକିଲ ସଂଘ ସଦନରେ ଅନୁଷ୍ଠିତ ଏହି ନିର୍ବାଚନରେ ମୋଟ ୭୮୩ ସଦସ୍ୟ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ସଭାପତି ଭାବରେ ନିର୍ବାଚିତ ନିରାକାର ଜେନା ମୋଟ ୫୫୪ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ସନ୍ତୋଷ ଆଚାର୍ୟ୍ୟ ୧୮୪ ଖଣ୍ଡ ଓ ଅନ୍ୟତମ ପ୍ରତିଦ୍ବନ୍ଦୀ ଧନେଶ୍ବର ମାଲିକ ମୋଟ ୪୭ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବା ଦିବ୍ୟସିଂହ ନାୟକ ୫୭ ଖଣ୍ଡ ଭୋଟ ବ୍ୟବଧାନରେ ଜୟଯୁକ୍ତ ହୋଇଛନ୍ତି।






