ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ଭୟରେ ଗଞ୍ଜାମ ଜିଲ୍ଲାର ବହୁ ଲୋକ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସୀମାନ୍ତ ପଂଚାୟତ ଗୁଡ଼ିକରେ ପ୍ରବେଶ କରୁଥିବା ଜଣାଯାଇଛି । ଦିନେ ଦୁଇଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଆଶ୍ଚର୍ଯ୍ୟ ଜନକ ଭାବେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦୃତ ବୃଦ୍ଧି ପାଇବା ଫଳରେ ଜିଲ୍ଲାବାସୀ ବହୁମାତ୍ରାରେ ଭୟଭୀତ ହୋଇ ଏଣେ ତେଣେ ଚାଲିଯାଉଥିବା ଦେଖିବାକୁ ମିଳୁଛି । ଗୋଟିଏ ପକ୍ଷରେ ଜିଲ୍ଲା ବାହାରୁ ପ୍ରବାସୀ ଓଡ଼ିଆମାନେ ସୁରତରୁ ଗଞ୍ଜାମ ଜିଲ୍ଲାକୁ ଆସୁଥିବା ବେଳେ ଅନ୍ୟପକ୍ଷରେ ସେହି ହାରରେ ଲୋକମାନେ ଗଞ୍ଜାମ ଜିଲ୍ଲା ଛାଡ଼ି ଅନ୍ୟ ପଡ଼ୋଶୀ ଜିଲ୍ଲାରେ ପ୍ରବେଶ କରିବା ଏବେ ମୁଣ୍ଡ ବ୍ୟଥାର କାରଣ ହୋଇଛି । ବିଶେଷ କରି ନିରାପଦ ଦୃଷ୍ଟିରୁ ପଡ଼ୋଶୀ କନ୍ଧମାଳ ଓ ନୟାଗଡ଼ ଜିଲ୍ଲା ଗ୍ରୀନ ଜୋନ ହୋଇଥିବାରୁ, ଗଞ୍ଜାମ ଜିଲ୍ଲାରୁ ଅନେକ ଲୋକ ବନ୍ଧୁ ବାନ୍ଧବଙ୍କ ଘରେ ଆଶ୍ରୟ ନେବାକୁ ଚାଲି ଆସୁଥିବା ଖବର ମିଳୁଛି । ଓଡ଼ଗାଁ ବ୍ଲ୍କର ସୀମାରେ ଥିବା କୋମଣ୍ଡ, ରୋହିବାଙ୍କ, ସୁନାମୁହିଁ, କୁରାଳ, ଗିରିଡିପଲ୍ଲୀ, ବେରୁହାଁବାରୀ, ବାହାଡ଼ାଝୋଲା, ଘଡେଇବନ୍ଧ, ଗୁମୀ ଇତ୍ୟାଦି ପଂଚାୟତ ଗୁଡିକୁ ଆସିବାକୁ ଯୋଜନା କରୁଥିବା ଅସମର୍ଥିତ ସୁତ୍ରରୁ ପ୍ରକାଶ । ଅନ୍ୟ ପକ୍ଷରେ ଗ୍ରୀନଜୋନରେ ଥିବା ଜିଲ୍ଲା ଗୁଡିକରେ ଅବାଧ ଗତିବିଧି ଲାଗି ରହିଥିବାରୁ କାମଧନ୍ଦା ପାଇବା ଆଶାରେ ଏଟାକୁ ଆସିବାର ଅନ୍ୟଏକ ପ୍ରମୁଖ କାରଣ ବୋଲି ଜଣାଯାଇଛି । ବର୍ତମାନ ଓଡ଼ଗାଁ ବ୍ଲକର ବିଭିନ୍ନ ପଂଚାୟତର ସଂଗରୋଧ ଗୃହରେ ଅନକ ସୁରତ ଫେରନ୍ତା ରହିଛନ୍ତି । ଏଥିପ୍ରତି ପ୍ରଶାସନ ସଜାଗ ରହିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।






