ନୟାଗଡ଼,(ବାଘୁଆବାର୍ତ୍ତା): ବେଦୀରୁ ବରକନ୍ୟାକୁ ଉଠାଇ ଆଣିଲା ପୁଲିସ । ନାବାଳିକା ବିବାହ ଚାଲିଥିବା ନେଇ ଖବର ମିଳିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସୂଚନାନୁସାରେ, ଫତେଗଡ଼ ଅଂଚଳର ଜଣେ ୧୭ ବର୍ଷିୟା ନାବାଳିକାଙ୍କ ବିବାହ ଆଜି ଭୁଆଶୁଣି ମନ୍ଦିର ପରିସରରେ ଅନୁଷ୍ଠିତ ହେଉଥିଲା । ଭାପୁର ମର୍ଦ୍ଦାବାଡ଼ି ଗୋହିରପଦା ଗ୍ରାମର ରାହାସ ବିହାରୀ ଦାଶଙ୍କ ପୁଅ ତଥା ଟ୍ରାକ୍ଟର ଡ୍ରାଇଭର ବଳରାମ ଦାଶ(୧୯)ଙ୍କ ସହ ବିବାହ ଅନୁଷ୍ଠିତ ହେବାକୁ ଯାଉଥିଲା । ଏନେଇ ଆଜି ମନ୍ଦିର ପରିସରରେ ଭୋଜି ଭାତ ସରିଥିବା ବେଳେ ଉଭୟ ବରକନ୍ୟା ବେଦିକୁ ଯିବାକୁ ଅପେକ୍ଷା କରିଥିଲେ । ଖବରପାଇ ଚାଇଲ୍ଡ ସଦସ୍ୟ ଲାଇନ୍ ଚନ୍ଦ୍ରଶେଖର ବେହେରା, ସ୍ୱର୍ଣ୍ଣଲତା ସାହୁ, ନାବାଳିକା ବିବାହ ନିରୋଧ ଅଧିକାରୀ ଜ୍ୟୋତିର୍ମୟୀ ସାହୁ, ଫତେଗଡ଼ ଥାନା ଏସ୍ଆଇ ସଚ୍ଚିଦାନନ୍ଦ ସାମନ୍ତରାୟ ପ୍ରମୂଖ ସଦଳବଳେ ପହଂଚି ନାବାଳିକା ବିବାହ ରୋକିବାକୁ ଚେଷ୍ଟା କରିଥିଲେ । ମାତ୍ର ଉଭୟ ପରିବାର ଅମଙ୍ଗ ହେବାରୁ ପୁଲିସ ବରକନ୍ୟାକୁ ଉଠାଇ ଆଣି ସିଡବ୍ଲ୍ୟୁସିରେ ହାଜର କରିବା ପରେ ଏକ ଷ୍ଟେହୋମ୍କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।






