ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୁଅ ଅମ୍ରିତ ନିଖୋଜର ୫ ଦିନ ପରେ ଉଦ୍ଧାର ହୋଇଛି । ପୁଲିସ ନାବାଳକକୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି । ଅପହରଣ ପଛର ରହସ୍ୟକୁ ଜିଲ୍ଲାବାସୀ ଚାହିଁ ବସିଥିବା ବେଳେ ଏହା ପଛରେ ଏକ ବଡ଼ ଧରଣର ଯୋଜନାବଦ୍ଧ କାମ ରହିଥିବ ସୂଚନା ମିଳିଛି । ପୁଲିସ ଆଜି ତିନି ଜଣଙ୍କୁ ଗିରଫ କରିଛି । ଅମ୍ରିତ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱପ୍ନଦର୍ଶନ ପଣ୍ଡା, ଭକ୍ତଦର୍ଶନ ପଣ୍ଡା ଓ ସୁନିଲ କୁମାର ପାଣିଗ୍ରାହୀ ଙ୍କୁ ଆଜି ଗିରଫ କରି କୁରାଳ ଗ୍ରାମରେ କିପରି ଅପହରଣ କରିଥିଲେ ଏହାର ଡେମୋ ଦେଖାଇଥିଲେ ଅପହରଣକାରୀ । ବୁଧବାର ଏହାର ରହସ୍ୟ ଖୋଲାଯିବ ବୋଲି ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ସୂଚନା ଦେଇଛନ୍ତି ।

ଅମ୍ରିତକୁ ୧୫ ତାରିଖ ରାତିରେ ଅପହରଣ କରାଯାଇଥିଲା । ଅପହରଣ କାରୀମାନେ ହିନ୍ଦୀରେ କଥାବାର୍ତ୍ତା କରୁଥିବା ବେଳେ ଏକ ଗାଡ଼ିରେ ଅମ୍ରିତକୁ ନେଇ ଯାଇଥିଲେ । ବିଭିନ୍ନ ସ୍ଥାନ ବୁଲାବୁଲି କରାଇବା ପରେ କୁରାଳର ପଣ୍ଡିତ ସାହିରେ ଆଣି ରଖିଥିଲେ ବୋଲି ଜଣାଯାଇଛି । ଏହି ଅପହରଣ ପଛରେ ବ୍ୟବସାୟୀକ ଶତୃତା ଏବଂ ଟଙ୍କା ଲୋଭରେ ଅପହରଣ ହୋଇଥିବା ଆଲୋଚନା ହେଉଛି । ଅପହରଣ ପଛରେ କୁରାଳ ଗ୍ରାମର କିଛି ବ୍ୟକ୍ତି ଏବଂ ବାହାରୁ କିଛି ବ୍ୟକ୍ତି ସାମିଲ ଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା । ଓଡ଼ଗାଁ ଥାନା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ନେଇ କୁରାଳ ଗ୍ରାମର ସ୍କ୍ରିନ ରିକ୍ରିଏସନ କରିଛି । କେଉଁ ଭଳି ଅପହରଣ କରିଥିଲେ ଏବଂ ଅପହରଣ ପରେ ଅମ୍ରିତକୁ କେଉଁଠି ରଖିଥିଲେ ତାହାକୁ ଅଭିଯୁକ୍ତମାନେ ପୁଲିସକୁ ଦେଖାଇଛନ୍ତି । ଏହା ସହିତ ଅମ୍ରିତକୁ ଆଜି କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ଼ କରଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ଅମ୍ରିତର ବାପା ମା ଖୁସି ଅନୁଭବ କରିଛନ୍ତି । ସାମ୍ବାଦିକ, ପୁଲିସ ଓ କୁରାଳ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି । ସୁଚନା ଥାଉକି ଅମ୍ରିତ ନିଖୋଜ ହେବାର ପରଦିନ ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଅମ୍ରିତଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଖୁବ ଶୀଘ୍ର ଆସାମି ମାନେ ଧରାପଡିବେ ବୋଲି ସୁଚନା ଦେଇଥିଲେ । ନୟାଗଡ଼ ବିଧାୟକ ନୟାଗଡ଼ ପୁଲିସ ସହ ପ୍ରତିଦିନ ଯୋଗାଯୋଗ କରି କିପରି ଅମ୍ରିତ ସୁସ୍ଥ ଅବସ୍ଥାରେ ଘରକୁ ଫେରିବ ସେଥିପାଇଁ ଉଦ୍ୟମ ଜାରି ରଖିଥିଲେ । ନୟାଗଡ଼ ପୁଲିସ ପକ୍ଷରୁ ତପ୍ତରତା ପ୍ରକାଶ କରି ବିଭିନ୍ନ ବିକଳ୍ପ ବ୍ୟବସ୍ଥା କରିଥିଲେ । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଆସନ୍ତା କାଲି ଅପହରଣର ପ୍ରକୃତ କାରଣ ଜଣାପଡିବ ।





