ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଏକ ମାମଲାର ଶୁଣାଣି ଚାଲିଥିବା ବେଳେ SDJMଙ୍କୁ ଛୁରାରେ ଆକ୍ରମଣ କରିବାକୁ ଉଦ୍ୟମ କରିଛି ଜଣେ ଯୁବକ। ତେବେ ସୌଭାଗ୍ୟକୁ କୋର୍ଟ ରୁମ୍ରେ ଥିବା ଓକିଲମାନେ କୌଣସି ମତେ ଯୁବକଙ୍କୁ କାବୁ କରିବାରୁ ଏକ ବଡ଼ ଅଘଟଣ ଏଡ଼ାଇ ଦିଆଯାଇପାରିଛି। ଆଜି ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟରେ ଘଟିଥିବା ଏହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଘଟଣା ପରେ ପୁଲିସ ପହଞ୍ଚି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖଇ ପଚରାଉଚରା କରୁଛି। ଏହି ଯୁବକଙ୍କ ନାଁ ଭଗବାନ ସାହୁ ଓ ତାଙ୍କ ଘର ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। କୌଣସି ଏକ ମାମଲାରେ ସେ ଆଜି କୋର୍ଟକୁ ଆସିଥିଲେ ତେବେ ସୁରକ୍ଷା ବ୍ୟବସ୍ଥା ଢିଲାଥିବା ଦେଖି ଏସ୍ଡିଜେଏମ୍ଙ୍କ ଡାଏସ୍ ଉପରକୁ ଛୁରି ଧରି ଚଢ଼ି ଯାଇଥିଲେ। କୋର୍ଟକୁ ଆସିବା ବେଳେ ସେ ମଦ୍ୟପାନ କରିଥିବା ସୂଚନା ମିଳିଛି। ଏନେଇ ପ୍ରତ୍ୟେକ୍ଷଦର୍ଶୀ ଆଇନଜୀବୀ କୁନାଲ ସାହୁ କହିଛନ୍ତି, ଏସ୍ଡିଜେଏମ୍ କୋର୍ଟ ରୁମ୍ରେ କୌଣସି କାମରେ ବ୍ୟସ୍ତ ଥିବା ବେଳେ ସମ୍ପୃକ୍ତ ଯୁବକ ଆକ୍ରମଣ କରିଥିଲା। ଯେହେତୁ ଆଜି ଆଇନଜୀବୀମାନେ ସତ୍ୟାଗ୍ରହ ଆନ୍ଦୋଳନ କରୁଥିଲେ, କୋର୍ଟ କାମରେ ଯୋଗ ଦେଇ ନ ଥିଲେ। ତେବେ କୋର୍ଟ ରୁମ୍ରେ ସମ୍ପୃକ୍ତ ଯୁବକ ଆକ୍ରମଣ ଉଦ୍ୟମ କରୁଥିବା ଜାଣିବା ପରେ ଆଇନଜୀବୀମାନେ ପହଞ୍ଚି ଥିଲେ। ଏହି ସମୟରେ ଜଜ୍ ସମ୍ପୃକ୍ତ ବ୍ୟକ୍ତିଙ୍କ ହାବୁଡ଼ରୁ ରକ୍ଷା ପାଇବା ନିମନ୍ତେ ଉଦ୍ୟମ କରୁଥିଲେ। ତେବେ ବହୁ କଷ୍ଟରେ ଆଇନଜୀବୀମାନେ ସମ୍ପୃକ୍ତ ଯୁବକକୁ କାବୁ କରିବା ପରେ ଏକ ବଡ଼ ଅଘଟଣ ରୋକାଯାଇପାରିଥିଲା। ବ୍ରହ୍ମପୁର ଏସ୍ପି ଓ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।





