ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାର ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିଥିବା ବେଳେ ଏହା କୃଷି ଓ କୃଷକଙ୍କ ପାଇଁ କୋହଳ କରାଯାଇଥିବା ନେଇ ଆଜି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ପାଳନ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ସାମାଜିକ ଦୂରତା ରକ୍ଷା କରି କୃଷକମାନେ ନିଜ ଜମିରେ ଫସଲ ଅମଳ କରିବାରେ କୈାଣସି ଅସୁବିଧା ନାହିଁ । ଚଳିତ ବର୍ଷର ରବି ଫସଲ ଅମଳ ଚାଲିଛି ଆଗାମୀ ଖରିଫ ଋତୁ ପାଇଁ ଚାଷୀ ପ୍ରସ୍ତୁତି କରିବ ତେଣୁ ଚାଷ କାର୍ଯ୍ୟରୁ ଲକ୍ଡାଉନ୍ ହଟା ଯାଇଥିବା ନେଇ ମନ୍ତ୍ରୀ କହିଛନ୍ତି । ଉଦ୍ୟାନ ବିଭାଗ ଏବଂ ମତ୍ସ୍ୟ ବିଭାଗରେ ମଧ୍ୟ ଲକ୍ଡାଉନ୍ କୋହଳ କରାଯାଇଛି । ମତ୍ସ୍ୟ ଚାଷୀମାନେ ତାଙ୍କର ମତ୍ସ୍ୟ ପାଳନ କରିବା ସହ ବଜାରରେ ପହଂଚାଇବା ନେଇ ଯେପରି କୈାଣସି ବାଧା ନଉପୁଜେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । କୃଷକମାନେ ରାଜ୍ୟର ମେରୁଦଣ୍ଡ, ରାଜ୍ୟ ସରକାର କୃଷକମାନଙ୍କ ପ୍ରତି ଗୁରୁତ୍ୱ ଦେଇ ଚାଷ କାର୍ଯ୍ୟରେ ବ୍ୟବହୃହ ଯାନ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି । ଏଥିସହିତ ମନରେଗାରେ ପ୍ରତ୍ୟେକ ଗ୍ରାମାଞ୍ଚଳରେ କାମ କରାଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।






