୨୦ ଲୋକଙ୍କୁ ରକ୍ତଦାନ ପାଇଁ ଦିଆଯିବ ପାସ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତର ଘୋର ଅଭାବ ଦେଖାଦେଇକ୍ତି । କରୋନା ମହାମାରୀ କାରଣରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇପାରୁନଥିବା କାରଣରୁ ଏଭଳି ଅସୁବିଧା ସୃଷ୍ଟି ହୋଇଛି । ଯାହାକୁ ନେଇ ନିୟମିତ ରକ୍ତ ଗ୍ରହଣ କରୁଥିବା ଥାଲାସେମିଆ ରୋଗୀ ଏବଂ ଜରୁରୀ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିବା ବେଳେ ରକ୍ତ ଅଭାବକୁ ଦୂର କରିବା ପାଇଁ ଆଜି ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଣ୍ଟା ଭିଡ଼ିଛନ୍ତି । ତଥ୍ୟନୁସାରେ, ନୟାଗଡ଼ ରକ୍ତ ଭଣ୍ଡାରେ ଆଜିକାର ଦିନରେ ୫ୟୁନିଟ ରକ୍ତ ରହିଥିବା ଜଣାପଡ଼ିଛି । ଦୈନିକ ୧୫ରୁ ୨୦ଟି ଏବଂ ମାସିକ ୩୫୦ ରୁ ୪୦୦ ୟୁନିଟ୍ ରକ୍ତ ଆବଶ୍ୟକ ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ମୋଟ ୫ ୟୁନିଟ୍ ରକ୍ତ ଥିବା ଜଣାପଡ଼ିଛି । ଯାହାକୁ ନେଇ ଆଜିର ଗ୍ରସ୍ତ ସମୟରେ ମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହ କିଭଳି ଅଧିକ ରକ୍ତ ସଂଗହ କରାଯିବ ସେ ନେଇ ଆଲୋଚନା କରିଥିଲେ । ଏନେଇ ମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟରେ ବିଭିନ୍ନ ଅଂଚଳର ଜନପ୍ରତିନିଧିଙ୍କ ସହ ଆଲୋଚନା କରି ପ୍ରତ୍ୟେକ ଦିନ କିଭଳି ୨୦ ୟୁନିଟ ରକ୍ତ ସଂଗ୍ରହ ହୋଇପାରିବ ସେ ନେଇ ପଦକ୍ଷେପ ନେଇଥିଲେ । ପ୍ରତ୍ୟେକ ପଂଚାୟତ ସ୍ତରରୁ ରକ୍ତଦାତାମାନଙ୍କୁ ରକ୍ତ ଭଣ୍ଡାର ଆସିବା ନେଇ ପାସ୍ ବ୍ୟବସ୍ଥା କରାଇବା ନେଇ ମନ୍ତ୍ରୀ ଆଜି ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲେ । ଲକ୍ଡାଉନ୍ ପାଇଁ କଟକଣା ଜାରି କରାଯାଇଥିବାରୁ ପ୍ରତ୍ୟକ ଦିନ କିଛି ପଂଚାୟତର ୨୦ ଜଣ ରକ୍ତଦାତା କିଭଳି ସୁବିଧାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାରକୁ ଆସି ପାରିବେ ସେ ନେଇ ବିସ୍ତୃତ ଆଲୋଚଲା କରିଥିଲେ । ଏଥିସହିତ ରକ୍ତଦାନ ସମୟରେ ସାମାଜିକ ଦୂରତା ଅବଲମ୍ବ କରିବା ସହ ପ୍ରତ୍ୟେକ ଦିନ ରକ୍ତ ଭଣ୍ଡାର ପରିସର ବିଶୋଧନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ରକ୍ତ ଅଭାବରୁ କାହାରିକୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଇ ପାରିବ ନାହିଁ ବୋଲି ମନ୍ତ୍ରୀ ଏହି ଅବସରରେ କହିଥିଲେ ।






