ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ୟୁକ୍ରେନ୍ ଓ ଋଷ୍ ଯୁଦ୍ଧ ଥମିବାର ନାଁ ଧରୁନି । ମିସାଇଲ ଓ ବୋମା ମାଡ଼ରେ ଧ୍ବସ୍ତବିଧ୍ବସ୍ତ ହୋଇଛି ୟୁକ୍ରେନ୍ର ଅଧିକାଂଶ ସହର । ସେପଟେ ୟୁକ୍ରେନ୍ ପାଲଟା ଆକ୍ରମଣ ଆରମ୍ଭ କରିଛି । ୟୁକ୍ରେନ୍ ସୈନ୍ୟଙ୍କ ପ୍ରଚଣ୍ଡ ପ୍ରହାରରେ ପଛଘୁଞ୍ଚା ଦେଉଛନ୍ତି ଋଷ୍ ସେନା । ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଋଷିଆ ଯବାନଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ୍-ଋଷ୍ ଯୁଦ୍ଧ ୯ ମାସରେ ପହଞ୍ଚିଛି । ୟୁକ୍ରେନ୍ ଖେରସାନକୁ ନିଜ ଅକ୍ତିଆରକୁ ନେବା ପରେ ଆକ୍ରମଣାତ୍ମକ ରୂପ ଧାରଣ କରିଛନ୍ତି ସେନା । ଋଷ୍ କବଜାରେ ଥିବା ଗୋଟିଏ ପରେ ଗୋଟିଏ ପ୍ରାନ୍ତକୁ ମୁକ୍ତ କରୁଛନ୍ତି । ଦି କିଓ୍ବ ଇଣ୍ଡିପେଣ୍ଡଣ୍ଟର ରିପୋର୍ଟ ଅନୁଯାୟୀ, ୟୁକ୍ରେନ୍ ଦକ୍ଷିଣ ଅପରେସନାଲ କମାଣ୍ଡ ଶନିବାର ଦକ୍ଷିଣ ମୋର୍ଚେରେ ୪୦ ଜଣ ଋଷ୍ ଯବାନଙ୍କୁ ମାରିଛନ୍ତି । ଏହା ସହିତ ବିସ୍ଫୋରଣ କରି ୩ଟି ଅତ୍ୟାଧୁନିକ ସୈନ୍ୟ ଗାଡ଼ି ଧ୍ବଂସ କରିଛନ୍ତି । ଦକ୍ଷିଣ ଅପରେସନାଲ କମାଣ୍ଡଙ୍କ ସୂଚନା ଅନୁଯାୟୀ, ଋଷ୍ କୃଷ୍ଣ ସାଗରରେ ୧୮ଟି ଯୁଦ୍ଧ ଜାହାଜ ମୁତୟନ କରିଛି । ୮ଟିରେ କଲିବ୍ରି କ୍ରୁଜ୍ ବାଲାଷ୍ଟିକ୍ ମିସାଇଲ ନିକ୍ଷେପ କରିବାର କ୍ଷମତା ରଖିଥିବା ଜାହାଜ ରହିଛି । ହେଲେ ୟୁକ୍ରେନ୍ ସାମ୍ନାରେ ଧୀରେ ଧୀରେ ପଛଘୁଞ୍ଚା ଦେଉଛନ୍ତି ଋଷ ସୈନ୍ୟ । ଖେରସାନ୍ ସହରକୁ ମୁକ୍ତ କରିବାକୁ ଋଷ୍ ନିଷ୍ପତ୍ତି ନେଇଛି । ଯାହା ୟୁକ୍ରେନ୍ ପାଇଁ ବଡ଼ ବିଜୟ ବୋଲି କୁହାଯାଉଛି । ଅନ୍ୟପଟେ ଋଷ୍ର ଏହ ନିଷ୍ପତ୍ତି ଏକ ନୂଆ ଯୋଜନା ବୋଲି ୟୁକ୍ରେନ୍ ଆଶଙ୍କା କରୁଛି । ସହରରେ ଏବେବି ଋଷ୍ ସୈନ୍ୟ ଥିବା ଦାବି କରିଛି ଖେରସାନ ପ୍ରଶାସନ । ୟୁକ୍ରେନ-ଋଷ୍ ଯୁଦ୍ଧ ପାଇଁ ବିଶ୍ବର ଅଧିକାଂଶ ଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି । କୃଷ୍ଣ ସାଗରେ ଓ ଏହାର ଆଖପାଖ ଅଞ୍ଚଳରେ ବାଣିଜ୍ୟ କାରବାର ସମ୍ପୂର୍ଣ୍ଣ ଠପ୍ ହୋଇଛି । ଯୁଦ୍ଧରୁ ନିବୃତ୍ତ ରହିବାକୁ ଭଭୟ ଦେଶକୁ ପରାର୍ମଶ ଦେଇଛି ବିଶ୍ବ ସଂଗଠନ ।





