ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ବିଭିନ୍ନ ଆଡ଼ୁ ସମାଲୋଚିତ ହେବା ପରେ ଆକ୍ସନ ମୁଡକୁ ଚାଲି ଆସିଛି କମିଶନରେଟ ପୁଲିସ୍ । କିଛି ଦିନର ନୀରବତା ପରେ ଆଜି ପୁଣି ନେଇଛି କାର୍ୟ୍ୟାନୁଷ୍ଠାନ । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଗିରଫ କରିଛି। ପ୍ରଥମେ ହନିଟ୍ରାପ୍ରେ ଫସାଇ ପରେ ବ୍ଲାକମେଲ୍ କରି ମାଲେମାଲ ହୋଇଥିବା ଅର୍ଚ୍ଚନାଙ୍କୁ ଗତ ୭ ତାରିଖରେ ଗିରଫ କରିଥିଲା କମିଶନରେଟ ପୁଲିସ୍। ଏହାପରେ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଗିରଫଦାରୀ ପାଇଁ ଚାରିଆଡ଼ୁ ଚାପ ପଡ଼ୁଥିବା ବେଳେ ଆଜି ସକାଳେ ତାକୁ ସତ୍ୟବିହାର ଘରୁ ଉଠାଇ ନେଇଥିଲା କମିଶନରେଟ ପୁଲିସ୍। ଏହାପରେ ତାଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରିବା ପରେ ମଧ୍ୟାହ୍ନ ସମୟରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି। ଆଜି ସକାଳୁ ଜଗବନ୍ଧୁଙ୍କୁ ଉଠାଇ ନେଇ ପୁଲିସ୍ ଅଟକ ରଖିଥିବା ବେଳେ ଦିନ ୧୧ଟା ୪୭ରେ ତାଙ୍କ ଓକିଲ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ଏହାର ଗନ୍ଧ ପାଇ ପୁଲିସ୍ ତାଙ୍କୁ ଜାମିନ ଆବେଦନ ଶୁଣାଣି ପୂର୍ବରୁ ଗିରଫ ଦର୍ଶାଇଛି। ତେଣୁ ଆଗୁଆ ଜାମିନକୁ ରୋକିବାକୁ ପୁଲିସ୍ ଏପରି ପଦକ୍ଷେପ ନେଇଛି ନା ଏହା ପଛରେ ଆଉ କିଛି ରହସ୍ୟ ଲୁଚିଛି ତାହା ଜଣାପଡ଼ିନି।





