ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଭାରତ ସରକାର ସାରା ଭାରତକୁ ୨୧ ଦିନ ପାଇଁ ଲକ୍ ଡାଉନ ଘୋଷଣା କରିଥିବା ବେଳେ ନୟାଗଡ଼ରେ ଏହା ଅନେକ ଅମାନିଆ ବ୍ୟକ୍ତିଙ୍କ ପାଇଁ ପ୍ରଭାବ ହୀନ ଭଳି ମନେ ହେଉଛି । ଜିଲ୍ଲା ପ୍ରଶାସନ ସାରା ଜିଲ୍ଲାରେ କଟକଣା ଲାଗୁ କରିଥିବା ବେଳେ ନୟାଗଡ଼ରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ପ୍ରଥମ ତିନି ଦିନ ଲୋକ ଭୟରେ ଭରୁ ବାହାରି ନଥିବା ବେଳେ ଏବେ ଲଗାତର ଭାବେ କିଛି ଦିନ ହେବ ସହର ଲୋକାରୁଣ୍ୟ ହୋଇପଡ଼ୁଛି । କ୍ଷୀର, ପରିବା, ରାସନ୍, ଔଷଧ ଆଳରେ ଅନେକ ବ୍ୟକ୍ତି ଦିନତାମାମ୍ ସହରରେ ବୁଲୁଥିବା ଦେଖିବାକୁ ମିଳୁଛି । ଏହା ସହିତ ନିଜକୁ ସମାଜସେବୀ ପରିଚୟ ଦେଇ ସହରରେ ବୁଲୁଥିବା ଲୋକଙ୍କ ସଂଖ୍ୟା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସକାଳୁ ଲୋକଙ୍କ ଆତଯାତ ବଢ଼ି ଦିନ ୧୧ଟା ବେଳକୁ ଦୈାନନ୍ଦିନ ଭଳି ଲୋକେ ସହରରେ ଭିଡ଼ ଜମାଉଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲେ ମଧ୍ୟ ୪ଟା ପରେ ମଧ୍ୟ ସହରରେ ଲୋକମାନଙ୍କର ଯାତାୟତ ରହୁଛି । ଏଭଳି ସ୍ଥିତି ଲାଗି ରହିଲେ କରୋନାକୁ ରୋକା ଯାଇ ପାରିବ ନାହିଁ ବୋଲି ଆଲୋଚନା ହେଉଛି । ଯାହାକୁ ନେଇ ନୟାଗଡ଼ରେ ଲକ୍ ଡାଉନ୍ ନୁହେଁ ସଟ୍ ଡାଉନ୍ର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।






