ବାଲେଶ୍ୱର, (ବାଘୁଆବାର୍ତ୍ତା): ଲେଡି ବ୍ଲାକ୍ମେଲର ଅର୍ଚ୍ଚନା ନାଗ୍ଙ୍କ ପାପ ପେଡ଼ି ଯେତିକି ଖୋଲିବାରେ ଲାଗିଛି, ତା’ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନିରବତା ସେତିକି ରହସ୍ୟମୟ ହୋଇ ରହିଛି । ଅର୍ଚ୍ଚନାର କଳା ସାମ୍ରାଜ୍ୟ ବୃଦ୍ଧି ହେବା ପଛରେ ଜଗବନ୍ଧୁଙ୍କର ସମାନ ଭୂମିକା ଅଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ, ବହୁ ଅନାଲୋଚିତ ତଥ୍ୟ ଲୋକଲୋକଚନକୁ ଆସିବ । ଏଭଳି ପରିସ୍ଥିତିରେ ଜଗବନ୍ଧୁଙ୍କୁ କାହିଁକି ତଦନ୍ତଭୁକ୍ତ କରାଯାଉନି, ସେ କାହିଁକି ଗଣମାଧ୍ୟମ ସାମ୍ନାକୁ ଆସୁ ନାହାନ୍ତି ? ଏମିତି ବହୁ ପ୍ରଶ୍ନ ସାଧାରଣ ଜନତାଙ୍କ ମଧ୍ୟରେ ଉଙ୍କି ମାରୁଛି । ତାଙ୍କ ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ବଢ଼ିବାରେ ଲାଗିଛି । ଅର୍ଚ୍ଚନାର ପାପ ସାମ୍ରଜ୍ୟ ବଢ଼ିବା ପଛରେ ସ୍ୱାମୀ ଜଗବନ୍ଧୁଙ୍କ ପ୍ରଚ୍ଛଦ ହାତ ଥିବା ସାଧାରଣରେ ଆଲୋଚନା ହେଉଛି । ସନ୍ଦେହ କରାଯାଉଛି, ଉଭୟ ସ୍ୱାମୀ-ସ୍ତ୍ରୀ ଯୋଜନାବଦ୍ଧ ଭାବେ ଲୋକଙ୍କୁ ଠକୁଥିଲେ । ଗରିବ ପରିବାରରେ ଜନ୍ମ ହୋଇଥିବା ଜଗବନ୍ଧୁ ବଡ଼ ଲୋକ ହେବାର ସ୍ୱପ୍ନ ଦେଖିଥିଲେ । ଏହାକୁ ସାକାର କରିବା ପାଇଁ ସ୍ତ୍ରୀ ଅର୍ଚ୍ଚନାଙ୍କୁ ଏକ ମାଧ୍ୟମ ଭାବେ ସେ ବ୍ୟବହାର କରୁଥିଲେ । ଶୁଣିବାକୁ ମିଳୁଛି³ ଜଗବନ୍ଧୁଙ୍କ ଜାଣତରେ ଅର୍ଚ୍ଚନା ବିଭିନ୍ନ ବେଆଇନ କାମରେ ଜଡ଼ିତ ଥିଲେ । ଅର୍ଚ୍ଚନା ଯେଉଁ ପ୍ରଭାବଶାଳୀ ଲୋଖଙ୍କୁ ବ୍ଲାକ ମେଲିଂ କରୁଥିଲେ, ସେହି ଲୋକଙ୍କ ସହ ଜଗବନ୍ଧୁ ଟଙ୍କା ଡିଲ୍ କରୁଥିଲେ । ଅର୍ଚ୍ଚନାଙ୍କ କେଳେଙ୍କାରୀରେ ଜଗବନ୍ଧୁ ସାମିଲ ଥିବା ସୂଚନା ମିଳିବା ପରେ ପୁଲିସ୍ ତାଙ୍କୁ ତଦନ୍ତ ପରିସରକୁ କାହିଁକି ଆଣୁନି, ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । ଅର୍ଚ୍ଚନାଙ୍କୁ ସତ୍ୟବିହାରସ୍ଥିତ ଘରୁ ଗିରଫ କରିବା ବେଳେ ସ୍ୱାମୀ ଜଗବନ୍ଧୁ ଉପସ୍ଥିତ ଥିଲେ । ମାତ୍ର ସେତେବେଳେ ପୁଲିସ୍ ଜଗବନ୍ଧୁଙ୍କୁ ଗିରଫ କରି ନ ଥିଲା । ଦେହ ଅସୁସ୍ଥ ଥିବା ଆଳରେ ପୁଲିସ୍ ତାଙ୍କୁ ଛାଡ଼ି ଦେଇଥିଲା । ଏବେବି ସେ ସତ୍ୟ ବିହାର ଘରେ ଅଛନ୍ତି । ଜଗବନ୍ଧୁ ଗଳାରେ ଏକ ରୁମାଲ ବାନ୍ଧି ଅସୁସ୍ଥ ଥିବାର ଅଭିନୟ କରୁଥିବା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ମାତ୍ର ଏଭଳି ସମୟରେ ଆଉ ଏକ ଆଲୋଚନା ମଧ୍ୟ ହେଉଛି । ଉଭୟ ଦମ୍ପତି ରାଉରକେଲାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ବ୍ଲାକମେଲିଂ କରୁଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ବ୍ୟବସାୟୀ ଜଣକ ଜଗବନ୍ଧୁଙ୍କୁ ଗୁଳି କରିବା ପାଇଁ ସୁପାରି ଦେଇଥିଲେ । ତେବେ ଅଳ୍ପକେ ଗୁଳି ଜଗବନ୍ଧୁଙ୍କୁ ଗଳା ପାଖ ଦେଇ ବାହାରି ଯାଇଥିଲା । ଏହାର ମଧ୍ୟ ତଦନ୍ତ ହେବା ଦରକାର ବୋଲି ଦାବି ହୋଇଛି । ଆହୁରି ଶୁଣିବାକୁ ମିଳୁଛି, ଅର୍ଚ୍ଚନା ଜାଲରେ ସବୁ ଦଳର ନେତା, ମନ୍ତ୍ରୀ, ବିଧାୟକ, ପ୍ରଶାସନିକ ଅଧିକାରୀ, ସାମ୍ବାଦିକ, ପ୍ରଭାବଶାଳୀ ବ୍ୟକ୍ତି ଫସିଛନ୍ତି । ଜଗବନ୍ଧୁଙ୍କୁ ତଦନ୍ତ ପରିସରକୁ ନେଲେ ସମସ୍ତଙ୍କ ମୁଖା ଖୋଲି ଯିବ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପରେ ପୁଲିସ୍ ଜାଣିଶୁଣି ତାଙ୍କୁ ତଦନ୍ତଭୁକ୍ତ କରୁନି । ଅର୍ଚ୍ଚନାଙ୍କୁ ଜାମିନରେ ଆଣିବା ପାଇଁ ଜାଣିଶୁଣି ଜଗବନ୍ଧୁଙ୍କୁ ଗିରଫ କରା ନ ଯାଇ ଘରେ ରଖାଯାଇଛି ବୋଲି ଆଲୋଚନା ହେଉଛି । ଅର୍ଚ୍ଚନା ଜାଲରେ ପ୍ରଭାବଶାଳୀ ବ୍ୟକ୍ତି ଥିବାରୁ ଏହି ଘଟଣାକୁ ଚପାଇ ଦେବାକୁ ସବୁସ୍ତରରୁ ଉଦ୍ୟମ ହେଉଛି । ଏଭଳି ସ୍ଥିତିରେ ପୁଲିସ୍ ଅଧିକ ତଦନ୍ତ ପାଇଁ ଆଗାମୀ ଦିନରେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ତାଙ୍କ ଜନ୍ମଭୂମି ବାଲେଶ୍ୱରରୁ ଦାବି ଉଠିଛି ।





