Sunday, November 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ଲାକମେଲିଂର ରାଣୀ ଅର୍ଚ୍ଚନା, ଚେହେରା ଦେଖି ଫସୁଥିଲେ ରସିକିଆ

by ସଞ୍ଜୟ ସ୍ୱାଇଁ
October 8, 2022
in Crime, State
ବ୍ଲାକମେଲିଂର ରାଣୀ ଅର୍ଚ୍ଚନା, ଚେହେରା ଦେଖି ଫସୁଥିଲେ ରସିକିଆ
448
VIEWS
Share on FacebookShare on Twitter

ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜପ୍ରାସାଦ ଭଳି ଘର, ଆଖି ଝଲ୍‌ସା ଇଣ୍ଟେରିୟର୍‌, ଇମ୍ପୋର୍ଟେଡ୍‌ ଫର୍ଣ୍ଣିଚର ସାଙ୍ଗକୁ ଭଳିକି ଭଳି ବିଦେଶୀ ବ୍ରାଣ୍ଡ୍‌ର କାର୍‌ ଓ ବାଇକ୍‌ । ବିଶାଳ ଫାର୍ମହାଉସ୍‌, ଗୋଟିଏ କାର୍‌ ସୋରୁମ୍‌ ଓ ଦୁଇଟି କମ୍ପାନୀର ମାଲିକ । ପାଳିଛନ୍ତି ୧୦ରୁ ଅଧିକ କୁକୁର, ୬ ଲକ୍ଷ ଟଙ୍କାର ଘୋଡ଼ା । ଆଦବକାଇଦା ଓ ଚଳଣି କୌଣସି ବଡ଼ ଉଦ୍ୟୋଗପତିଙ୍କ ଠାରୁ ବି କମ୍‌ ନୁହେଁ । କିନ୍ତୁ ଆଇନତଃ ଆୟ ଶୂନ୍ୟ । ଏ ସବୁ ସମ୍ପତ୍ତି କମାଇଛନ୍ତି କେବଳ ବ୍ଲାକମେଲିଂ କରି । ବ୍ଲାକମେଲିଂର ରାଣୀ ଅର୍ଚ୍ଚନାଙ୍କ ‘ନାଗଫାଶ’ରେ ପଡ଼ିଛନ୍ତି ରାଜନେତା, ବ୍ୟବସାୟୀ, ଚଳଚ୍ଚିତ୍ର ପ୍ରଯୋଜକ ଓ ବରିଷ୍ଠ ଅଧିକାରୀ । ତାଙ୍କ କଳାକାରନାମା ଦେଖି ରାଜଧାନୀବାସୀ ତାଜୁବ୍‌ ହୋଇଯାଇଛନ୍ତି । ଜଣେ ମହିଳା କେବଳ ବ୍ଲାକମେଲିଂ କରି ଏଭଳି ବିଶାଳ ସାମ୍ରାଜ୍ୟ ଠିଆ କରିପାରେ ଓ ଏତେଦିନ ପର୍ୟ୍ୟନ୍ତ ଆଇନ ଆଖିରୁ ଲୁଚି ରହିପାରେ ତାହା ସାଧାରଣଲୋକଙ୍କ ପାଇଁ ଯେତିକି ରହସ୍ୟମୟ, ପୁଲିସ ପାଇଁ ସେତିକି ଚ୍ୟାଲେଞ୍ଜପୂର୍ଣ୍ଣ । ଗୁଳିକାଣ୍ଡ ପରେ ଗଳିରେ ସିରିଜ୍‌ ସିସି କ୍ୟାମେରା – ପଳାଶୁଣି ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଘରେ ଖାଲି ସିସି କ୍ୟାମେରା ଲାଗିନଥିଲା । ଘର ସାମ୍ନାରେ ରାସ୍ତାରେ ପ୍ରାୟ ୧୦୦ ମିଟର ଯାଏଁ ସିସି କ୍ୟାମେରା ଖଞ୍ଜାଯାଇଥିଲା । ଏକାବେଳକେ ୧୦ଟି ସିସି କ୍ୟାମେରା ବିଦ୍ୟୁତ ଓ ଟେଲିଫୋନ୍‌ ଖୁଣ୍ଟରେ ଲଗାଯାଇଥିଲା । ସମସ୍ତ ସିସି କ୍ୟାମେରାକୁ ଅର୍ଚ୍ଚନାଙ୍କ ଘର ସହ ସଂଯୋଗ କରାଯାଇଥିଲା । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ୬ ମାସ ତଳେ କିଛି ଦୁର୍ବୃତ୍ତ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନେ ତାଙ୍କ ବିଲ୍ଡିଂ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଗୁଳିମାଡ଼ର ଚିହ୍ନ ଏବେ ବି ବିଲ୍ଡିଂରେ ରହିଛି । ଏହି ଆକ୍ରମଣ ପରେ ଦମ୍ପତି ସତର୍କ ହୋଇ ସତ୍ୟବିହାର ଗଳିରେ ସିସି କ୍ୟାମେରା ଖଞ୍ଜିଥିଲେ । ଏତେ ବଡ଼ ଆକ୍ରମଣ ସତ୍ତେ୍ୱ ଦମ୍ପତି କୌଣସି ଥାନାରେ ଅଭିଯୋଗ କରିନଥିଲେ । ଅର୍ଚ୍ଚନାଙ୍କ ହନିଟ୍ରାପ୍‌ର ଶିକାର ହୋଇଥିବା କେହି ପ୍ରଭାବଶାଳୀ ବ୍ୟକ୍ତି ଏଭଳି କାଣ୍ଡ ଭିଆଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି । ଇଟାଲି, ଥାଇଲ୍ୟାଣ୍ଡରୁ ଇଣ୍ଟେରିଅର ସାମଗ୍ରୀ – ବିରାଟ ଅଟ୍ଟାଳିକା । ହାଇରିଜୋଲ୍ୟୁସନ ସିସି କ୍ୟାମେରାଠୁ ସେନସର ଖଞ୍ଜା କବାଟ । ଘର ଚଟାଣଠୁ ବେଡ୍‌ର ଚାଦର ଯାଏଁ ସବୁ ବିଦେଶୀ ବ୍ରାଣ୍ଡ୍‌ । ରାଜକୀୟ ପଲଙ୍କ, ସୋଫା, ଫର୍ଣ୍ଣିଚରରେ ବିଦେଶୀ ଛାପ ଥିଲା । ବିଲ୍ଡିଂ ଟେରାସ୍‌ରେ ସୁଇମିଂ ପୁଲ୍‌ ମଧ୍ୟ ଥିଲା । ତାଙ୍କର ଏହି ବିଶାଳ ବଙ୍ଗଳା ଦେଖିଲେ, ଯେକୌଣସି ଲୋକର ଆଖି ଖୋସି ହୋଇଯିବ । ବିଲ୍ଡିଂରେ ଯେତକି ଇଣ୍ଟେରିଅର ଡେକୋରେସନ ସାମଗ୍ରୀ ଖଞ୍ଜାଯାଇଛି, ତାହା ଇଟାଲି ଓ ଥାଇଲ୍ୟାଣ୍ଡରୁ ଅଣାଯାଇଥିଲା । ଫାଙ୍କୁଥିଲେ ଟିକସ, ପଞ୍ଝା ମାରିବ ଆୟକର ବିଭାଗ – କୋଟି କୋଟି ଟଙ୍କା ମୂଲ୍ୟର ବଙ୍ଗଳା ଆଉ ଦାମୀ କାର । ରାଜକୀୟ ଠାଣିରେ ଜୀବନଯାପନ । ପୁଣି କଟକ-ଭୁବନେଶ୍ୱର ଜାତୀୟ ରାଜପଥ କଡ଼ରେ ଏକ ସେକେଣ୍ଡ ହ୍ୟାଣ୍ଡ କାର୍‌ ସୋ ରୁମ୍‌ରେ ଜଗବନ୍ଧୁ ୨ କୋଟି ଟଙ୍କା ବିନିଯୋଗ କରିଛନ୍ତି । ଏ ସବୁରେ ଦମ୍ପତି ଆୟକର ଟିକସ ଫାଙ୍କୁଥିବା ଗନ୍ଧ ବାରିଛି ପୁଲିସ । ଏନେଇ ଆଗକୁ ଆୟକର ବିଭାଗ ତଦନ୍ତ କରିପାରେ । ରାଜ୍ୟ ଭିଜିଲାନ୍ସ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଉଭୟଙ୍କ ସମ୍ପତ୍ତିର ଖୋଳତାଡ଼ କରିପାରେ । ସେୟାର ମାର୍କେଟରେ କୋଟି କୋଟି ଟଙ୍କା – ଅର୍ଚ୍ଚନା ଓ ଜଗବନ୍ଧୁ ସେୟାର ମାର୍କେଟରେ କୋଟି କୋଟି ଟଙ୍କା ଖଟାଇଛନ୍ତି । ଏହାବାଦ୍‌ ବାଲେଶ୍ୱରରେ ଏକ ୩ ମହଲା ବିଶିଷ୍ଟ ବଙ୍ଗଳା ବନାଉଥିଲେ । ଉଭୟଙ୍କ ‘ଆଦିତ୍ୟ ପ୍ରେଷ୍ଟିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ଓ ‘ଗୋଲ୍ଡେନ ଇମ୍ପ୍ରେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାଁରେ ୨ଟି କମ୍ପାନୀ ଅଛି । ଘରେ ଫିଲ୍ମ, ବିଜ୍ଞାପନ ସୁଟିଂ – ଅର୍ଚ୍ଚନାଙ୍କ ଏହି ସୁରମ୍ୟ ସୌଧରେ ବିଭିନ୍ନ ଓଡି଼ଆ ଫିଲ୍ମ, ସିରିଏଲ୍‌ ଓ ବିଜ୍ଞାପନ ସୁଟିଂ ହେଉଥିଲା । ଏଥିପାଇଁ ଅର୍ଚ୍ଚନା ପ୍ରଡ୍ୟୁସରମାନଙ୍କୁ ଉଚ୍ଚ ଦର କଷୁଥିଲେ । ଯେହେତୁ ଆଲିସାନ ବଙ୍ଗଳା ହୋଇଥିବାରୁ ଅଧିକାଂଶ ପ୍ରଯୋଜକ ଏହି ବିଲ୍ଡିଂରେ ସୁଟିଂ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ବିଲ୍ଡିଂରେ ଓଡି଼ଆ କଳାକାର ଓ ସିନେଷ୍ଟାରଙ୍କ ସୁଟିଂ ବେଳର ଫଟୋଚିତ୍ରକୁ ସ୍ୱାମୀ-ସ୍ତ୍ରୀ ସେମାନଙ୍କ ଫେସ୍‌ବୁକ୍‌ ପେଜ୍‌ରେ ପୋଷ୍ଟ କରିଛନ୍ତି । ଗାଡି଼ ନମ୍ବର ଲକି ‘୨୩୨୪’ – ଉଭୟେ ଦାମୀ ଗାଡ଼ି ଚଢ଼ି ବୁଲୁଥିଲେ । ବିଏମଡବ୍ଲୁ ଏକ୍ସ ୩, ଫୋର୍ଡ ଏଣ୍ଡେଭର, ମାରୁତି ସୁଜୁକି ସୁଇଫ୍ଟ ଓ ମହିନ୍ଦ୍ରା ଥର୍‌ ଭଳି ଅନେକ ଗାଡ଼ି । ଏମିତିକି ଦାମୀ ହାର୍ଲି ଡେଭିଡସନ ଭଳି ବାଇକ୍‌ ମଧ୍ୟ ସେମାନଙ୍କର ରହିଛି । ସବୁ ଗାଡି଼ର ଗୋଟିଏ ଲକି ନମ୍ବର (୨୩୨୪) । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଏମାନେ କିଛି କାର୍‌ ରାଜନେତା ଓ ବ୍ୟବସାୟୀଙ୍କଠାରୁ ହାତେଇଛନ୍ତି । ୫ ବର୍ଷରେ ମାଲେମାଲ୍‌ – ଆକର୍ଷଣୀୟ ଚେହେରା ସାଙ୍ଗକୁ ହସ ହସ ମୁହଁ । ଆଉ ତାଙ୍କର ସେଥିରେ ଫସୁଥିଲେ ବଡ଼ ବଡ଼ ରାଜନେତା, ସିନେ ପ୍ରଯୋଜକ, ବିଲ୍ଡର । ମିଠା ମିଠା କଥା କହି ସେମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ଯିଏ ଥରେ ଫସିଛି, ସିଏ ଆଉ ବାହାରି ପାରିନି ଅର୍ଚ୍ଚନାଙ୍କ ପଞ୍ଝାରୁ । ମାସିକିଆ ହିସାବରେ ବ୍ଲାକ୍‌ମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ନହେଲେ କାର, ସୁନା ଅଳଙ୍କାର, ଦାମୀ ଆସବାବପତ୍ର ଡିମାଣ୍ଡ କରୁଥିଲେ । ପୁଲିସର ସୂଚନା ମୁତାବକ, ପ୍ରାୟ ୫ ବର୍ଷ ଭିତରେ ଏସବୁ ସମ୍ପତ୍ତିର ମାଲିକାଣୀ ହୋଇଛନ୍ତି । ଅର୍ଚ୍ଚନା କାହାଠୁ କେତେ ଠକିଛନ୍ତି, ତାହାର ତାଲିକା ପୁଲିସ ବନାଉଛି । କିଏ ସେ ଶ୍ରଦ୍ଧାରାଣୀ ? – ପ୍ରଯୋଜକ ଅକ୍ଷୟ ପରିଜାଙ୍କ କିଛି ଫଟୋ ଭାଇରାଲ୍‌ ହେବା ଦିନଠୁ ଶ୍ରଦ୍ଧାରାଣୀ ବେହେରା ନାମକ ଯୁବତୀଙ୍କ ନାମ ସାମ୍ନାକୁ ଆସିଛି । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଅର୍ଚ୍ଚନା ଏହି ଯୁବତୀଙ୍କୁ ମୋହରା କରି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍‌ କରିଥିଲେ । ପୁଲିସ ଏବେ ଶ୍ରଦ୍ଧାରାଣୀଙ୍କୁ ଖୋଜୁଛି । ଅର୍ଚ୍ଚନା ଏଭଳି କିଛି ଯୁବତୀଙ୍କୁ ମୋହରା କରି ପ୍ରଭାବଶାଳୀ ଓ ଧନୀକ ଶ୍ରେଣୀୟ ବ୍ୟକ୍ତିଙ୍କୁ ଚୂନ ଲଗାଉଥିବା ସୂଚନା ମିଳିଛି । ୬ ଲକ୍ଷର ଧଳା ଘୋଡ଼ା – ଜଗବନ୍ଧୁ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଗତ ମେ ୨୫ ତାରିଖରେ ଏକ ଧଳା ରଙ୍ଗର ଘୋଡ଼ା ଫଟୋ ପୋଷ୍ଟ କରିଛନ୍ତି । ଘୋଡ଼ାଟି ତାଙ୍କ ଘରର ‘ନୂଆ ସଦସ୍ୟ’ ବୋଲି ଜଗବନ୍ଧୁ ଫେସ୍‌ବୁକ୍‌ରେ ଉଲ୍ଲେଖ କରିଥିଲେ । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଘୋଡ଼ାକୁ ୬ ଲକ୍ଷ ଦେଇ କୋଲକାତାରୁ କିଣାଯାଇଥିଲା । ବାଲିଅନ୍ତା ଥାନା ଅଧୀନସ୍ଥ ଫାର୍ମହାଉସ୍‌ରେ ଏହି ଘୋଡ଼ା ରଖାଯାଇଥିଲା । ଏହାବାଦ୍‌ ଆହୁରି ୨ଟି କଳା ଘୋଡ଼ା କିଣିବାକୁ ଉଭୟେ ଯୋଜନା କରିଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!