ମୋହନା, (ବାଘୁଆବାର୍ତ୍ତା): ଗଜପତି ଜିଲ୍ଲା ଅଡବା ଥାନା ଭିତରେ ପଶି ପୋଲିସକୁ ମାଡ ଓ ଭଙ୍ଗାରୁଜା ଘଟଣାରେ ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୨ ଜଣ ମହିଳା ଥିବା ଗଜପତି ଏସ୍ପି ଜୟରାମ ଶତପଥୀ କହିଛନ୍ତି । ସେମାନେ ହେଲେ ସୁନିଏଲ ମଣ୍ଡଳ, ପରୀ ଭୂୟାଁ, ରେଙ୍ଗି ରଇତ, ଦାନିଏଲ୍ ଭୂୟାଁ, ଲାଯାର ରଇତ, ରେମ୍ବେକା ଜାନୀ ଓ ଜୟାନ ରାଇକା । ସେମାନଙ୍କ ବିରୋଧରେ ଥାନା ଉପରେ ଆତର୍କିତ ଆକ୍ରମଣ, ପୋଲିସକୁ ମାଡ ଓ ସରକାରୀ ଜିନିଷ ନଷ୍ଟ ଭଳି ସଙ୍ଗୀନ ମାମଲା ରୁଜୁ ହୋଇଛି । ଏହି ଘଟଣାର ବିଭିନ୍ନ ଦିଗ ଉପରେ ତଦନ୍ତ ଚାଲିଛି । ଘଟଣା ଦିନର ଭିଡିଓ ଫୁଟେଜ, ସିସିଟିଭି ଯାଞ୍ଚ୍ ପରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ଗତ ସୋମବାର ଅଡବା ଥାନା ପୋଲିସ ଝରଣପୁର ଗାଁରେ ଚଢ଼ାଉ କରି ୨୦୭ କେଜି ଗଞ୍ଜେଇ ଜବତ କରିବା ସହ ବିଶ୍ଵନାଥ ଭୂୟାଁ ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା । ତେବେ ପୋଲିସ ମିଥ୍ୟା ମାମଲା ରୁଜୁ କରିଥିବା ଅଭିଯୋଗ କରି ମଙ୍ଗଳବାର ଶତାଧିକ ଅଞ୍ଚଳବାସୀ ଅଡବା ଥାନା ଘେରାଉ କରିବା ସହ ଥାନା ଭିତରେ ପଶି ପୋଲିସକୁ ପିଟିଥିଲେ । ଏଥିସହ ଥାନା ଭଙ୍ଗାରୁଜା ମଧ୍ୟ କରିଥିଲେ ।





