ନୟାଗଡ଼, (ବାଘୁଆବାର୍ତ୍ତା): ଓଏଏସ ସ୍ତରରେ ବଡ଼ ଧରଣର ବଦଳି କରିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ଓଏଏସ ଅଫିସର ତଥା ବିଡ଼ିଓ, ତହସିଲଦାର ମାନଙ୍କୁ ବଦଳି କରାଯାଇଛି । ତେବେ ଆଜି ରାଜ୍ୟର ୪୯ଜଣ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି ଖୋଦ୍ ରାଜ୍ୟ ସରକାର । ଏହି ୪୯ଜଣ ଓଏଏସ ଅଫିସରଙ୍କ ମଧ୍ୟରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଯୁବ ବିଡ଼ିଓ ଭାବେ କାର୍ଯ୍ୟ କରିଆସୁଥିବା ଜନ୍ମେଜୟ ସାହୁଙ୍କୁ କଟକ ଜିଲ୍ଲା ବାରଙ୍ଗ ତହସିଲର ତହସିଲଦାର ଭାବେ ବଦଳି କରାଯାଇଛି । ସେହିପରି ତାଙ୍କ ସ୍ଥାନରେ ଗରଦପୁର ବ୍ଲକ ବିଡ଼ିଓ ରଞ୍ଜିତ କୁମାର ମଲ୍ଲିକଙ୍କୁ ଭାପୁର ବ୍ଲକର ନୂତନ ବିଡ଼ିଓ ଭାବେ ନିଯୁକ୍ତ କରାଯାଇଛି । ତେବେ ରାଜ୍ୟ ସରକାର ଏଭଳି ଅଦଳ ବଦଳ କରୁଥିବା ବେଳେ ଅଫିସରଙ୍କ ମନରେ ଛନକା ଦେଖାଦେଇଛି । ଭାପୁର ବ୍ଲକ୍ କଥା ଦେଖିବା ତେବେ ଦେଢ଼ ବର୍ଷରେ ୩ଜଣ ବିଡ଼ିଓଙ୍କର ବଦଳି ହୋଇଥିବା ସୂଚନା ମିଳିଛି ।





