ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତୀୟ ମହିଳା ଦଳ ଇତିହାସ ରଚିଛନ୍ତି। ଲନ ବଲ୍ସ ପ୍ରତିଯୋଗିତାର ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ସ୍ଵର୍ଣ୍ଣ ପଦକ ଜିତିଛି। ୯୨ ବର୍ଷର ଇତିହାସରେ ପ୍ରଥମ ଥର ଭାରତ ଏହି ଇଭେଣ୍ଟରେ କୌଣସି ପଦକ ଜିତିଛି। ସେ ପୁଣି ଏକାଥରକେ ସ୍ଵର୍ଣ୍ଣ ପଦକ। ମହିଳା ଦଳର ଏହି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି ଲଭଲି ଚୌବେ, ପିଙ୍କି, ନୟାନମୋନୀ ସାଇକିଆ, ରୂପା ରାଣୀ। ଏହି ଖେଳାଳିମାନେ ଲଗାତାର ଭଲ ପ୍ରଦର୍ଶନ କରି ଦେଶକୁ ସ୍ଵର୍ଣ୍ଣ ପଦକ ଦେଇଛନ୍ତି। ଫାଇନାଲ୍ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୭-୧୦ରେ ମାତ୍ ଦେଇଛି। ପ୍ରାୟ ଅଢେଇ ଘଣ୍ଟା ଧରି ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ କେତେବେଳେ ଭାରତ ଆଗରେ ରହୁଥିଲା ତ ଆଉ କେତେବେଳେ ପଛରେ। ଆରମ୍ଭରୁ ଭାରତ ଅଗ୍ରଣୀ ହାସଲ କରିଥିଲା, ହେଲେ ଦକ୍ଷିଣ ଆଫ୍ରିକା ପ୍ରତ୍ୟାବର୍ତ୍ତନ କରିଥିଲା। କିନ୍ତୁ ଶେଷରେ ଭାରତ ଦମଦାର ପ୍ରଦର୍ଶନ କରି ମ୍ୟାଚ୍କୁ ୧୭-୧୦ରେ ଜିତିବାରେ ସଫଳ ହୋଇଛି। ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚିଛି। ଏଥିରେ ୪ ସ୍ଵର୍ଣ୍ଣ, ୩ ରୌପ୍ୟ ଏବଂ ୩ କାଂସ୍ୟ ପଦକ ରହିଛି। ଏହା ପୂର୍ବରୁ ସେମି ଫାଇନାଲରେ ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡକୁ ୧୬-୧୩ରେ ମାତ୍ ଦେଇଥିଲେ।






