ବଅଁରପାଳ, (ବାଘୁଆବାର୍ତ୍ତା): ବଅଁରପାଳ ମିଶନ୍ ଶକ୍ତି ବିଭାଗରେ କାର୍ୟ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ବରିଷ୍ଠ ଓଏଏସ୍ ଅଫିସର୍ ତଥା ଏମ୍ଏସ୍ଏମ୍ଇ ବିଭାଗରେ ଯୁଗ୍ମ ସଚିବ ଭାବେ କାର୍ୟ୍ୟରତ ଦିଲ୍ଲୀପ କୁମାର ମହାରଣାଙ୍କୁ ଗିରଫ କରିଛି ବଅଁରପାଳ ଥାନା ପୁଲିସ । ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଥିଲେ ଦିଲ୍ଲୀପ । ଦିଲ୍ଲୀପ ବିବାହିତ ହୋଇ ବି ମହିଳାଙ୍କୁ ଅବିବାହିତ କହିଥିଲେ । ଏପରିକି ପୀଡ଼ିତାଙ୍କର ଅନ୍ୟତ୍ର ବିବାହ ହୋଇଥିଲେ ମଧ୍ୟ ଅଶ୍ଳୀଳ ଫଟୋ ଦେଖାଇ ତାଙ୍କୁ ବ୍ଲାକ୍ମେଲ୍ କରିଥିଲେ । ଫଳରେ ପୀଡ଼ିତାଙ୍କ ବୈବାହିକ ଜୀବନ ଏବେ ସଙ୍କଟରେ । ତାଙ୍କ ସ୍ୱାମୀ ଛାଡ଼ପତ୍ର ଦେବାକୁ ଜିଦ୍ ଧରିଛନ୍ତି । ନିର୍ୟାତନା ଅତିଷ୍ଠ ହେବା ପରେ ପୀଡ଼ିତା ଜଣକ ବାଧ୍ୟ ହୋଇ ଗତ ୨୪ ତାରିଖରେ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଦିଲ୍ଲୀପଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏସ୍ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଥିଲା । ଏହି ସ୍କ୍ୱାଡ୍ ଦୁଇ ଦିନ ଧରି କଟକ, ଭୁବନେଶ୍ୱର ଓ ସମ୍ବଲପୁର ଇଲାକାରେ ଛାନ୍ଭିନ୍ କରିବା ପରେ ଦିଲ୍ଲୀପଙ୍କୁ କାବୁ କରିଥିଲା । ଶୁକ୍ରବାର ଦିଲ୍ଲୀପଙ୍କୁ କୋର୍ଟ୍ଚାଲାଣ କରାଯାଇଥିଲା । ଜାମିନ୍ ନାମଞ୍ଜର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦିଲ୍ଲୀପଙ୍କ ଘର କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର ଭଣ୍ଡା ଗ୍ରାମରେ ହୋଇଥିବା ବେଳେ ମହିଳା ଜଣକ ଢେଙ୍କାନାଳ ଟାଉନ୍ ଥାନା ଇଲାକାର । ପୁଲିସ ସୂତ୍ରରୁ ପ୍ରକାଶ ଯେ, ୨୦୧୯ରେ ମହିଳା ଜଣକ କଟକରେ କାର୍ୟ୍ୟ କରୁଥଲେ । ସେହି ବର୍ଷ ଅଗଷ୍ଟ-ସେପ୍ଟେମ୍ବରରେ କଟକ ଜିଲ୍ଲାର ମାହାଙ୍ଗା ତହସିଲ୍ଦାର ଭାବେ ଅବସ୍ଥାପିତ ଦିଲ୍ଲୀପଙ୍କ ସହ ଫେସ୍ବୁକ୍ରେ ତାଙ୍କର ସମ୍ପର୍କ ହୋଇଥିଲା । ଦିଲ୍ଲୀପ ବିବାହିତ, ହେଲେ ଅବିବାହିତ କହି ମହିଳାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିଥିଲେ । ମହିଳାଙ୍କ ନିକଟକୁ ଦିଲ୍ଲୀପଙ୍କ ଅବାଧ ଆତଯାତ, ମିଳାମିଶା ରହିଥିଲା । ଏପରିକି ମହିଳା ଜଣକ କଟକ ଛାଡ଼ି ବଅଁରପାଳ ଆସିବା ପରେ ମଧ୍ୟ ଦିଲ୍ଲୀପ ଏଠାକୁ ବାରମ୍ବାର ତାଙ୍କର କାର୍ରେ ଆସୁଥିଲେ । ପରେ ଦିଲ୍ଲୀପ ବିବାହିତ ବୋଲି ପୀଡ଼ିତା ଜାଣି ପାରିଥିଲେ । ଏକଥା ଦିଲ୍ଲୀପଙ୍କୁ ମଧ୍ୟ ପଚାରିଥିଲେ । ସ୍ତ୍ରୀ ସହ ପଡୁନଥିବାରୁ ତାଙ୍କୁ ଛାଡ଼ପତ୍ର ଦେଇ ପୀଡ଼ିତାଙ୍କୁ ବିବାହ କରିବି ବୋଲି ସୁନେଲି ସ୍ୱପ୍ନ ଦେଖାଇଥିଲେ ଅଭିଯୁକ୍ତ । ପରେ ନିଶା ଦେଇ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ସୁଟିଂ କରି ବ୍ଲାକ୍ମେଲ୍ କରି ଆସୁଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି ପୀଡ଼ିତା । ଏସବୁ ଜାଣିବା ପରେ ତାଙ୍କଠାରୁ ଦୂରେଇ ଯାଇ ଗତବର୍ଷ ଅନ୍ୟତ୍ର ବିବାହ କରିଥିଲେ ପୀଡ଼ିତା । ଏହା ସତ୍ତେ୍ୱ ଦିଲ୍ଲୀପ ବ୍ଲାକମେଲ କରି ତାଙ୍କ ସଂସାର ଉଜାଡ଼ି ଦେଇଛନ୍ତି । ସ୍ୱାମୀ ତାଙ୍କୁ ଛାଡ଼ପତ୍ର ଦେବାକୁ ଜିଦ୍ ଧରି ବସିଛନ୍ତି । ଦିଲ୍ଲୀପ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଥିବା ବେଳେ ନିର୍ୟାତନା ବଢ଼ିଥିଲା । ତାଙ୍କ ପରିବାର ଲୋକଙ୍କ ସହ ଅନ୍ୟ ଜଣେ ଓଏଏସ୍ ଅଫିସର ମିଶି ତାଙ୍କୁ ମାନସିକ ଓ ଶାରୀରିକ ଅତ୍ୟାଚାର କରିଥିଲେ ବୋଲି ପୀଡ଼ିତା ତିନି ପୃଷ୍ଠାର ଏତଲାରେ ଦର୍ଶାଇଛନ୍ତି ।





