ଝାରସୁଗୁଡ଼ା, (ବାଘୁଆବାର୍ତ୍ତା): ଚାଲିଥିଲା ବାହାଘର, ହଠାତ୍ ବର କନିଆଁକୁ ବେଦୀରୁ ଉଠାଇନେଲା ପୋଲିସ। କାରଣ ହେଲା ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ଯୁବକ। ହେଲେ ମାନିଲାନି ଅବୁଝା ମନ। ପ୍ରଥମ ବିବାହର ୮ ବର୍ଷ ପରେ ପୁଣି ଜଣେ ଯୁବତୀଙ୍କ ସହ ପ୍ରେମରେ ପଡ଼ି ବିବାହ କରିବାକୁ ଯାଉଥିଲେ ଯୁବକ। ଧରାପଡ଼ିବାରୁ ଏବେ ଜେଲ୍ରେ ରସିକ ବର। ଏଭଳି ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରରେ। ସୂଚନାନୁଯାୟୀ, ବ୍ରଜରାଜନଗର ଥାନା ଅନ୍ତର୍ଗତ ଜିଏସ ଲାଇନ ରହୁଥିବା ଏଭିରୀୟ ତାଣ୍ଡିଙ୍କ ପୁଅ ଦୀପକ ତାଣ୍ଡି ୨୦୧୪ରେ ଅନୁପମା ତାଣ୍ଡିଙ୍କୁ ପ୍ରଥମ ବିବାହ କରିଥିଲେ। ଏବେ ତାଙ୍କର ୭ ବର୍ଷର ଏକ କନ୍ୟା ସନ୍ତାନ ରହିଛି। ବିବାହକୁ ୮ ବର୍ଷ ପୂରିଥିଲେ ମଧ୍ୟ ଦୀପକ ଅନ୍ୟ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ। ମଙ୍ଗଳବାର ଦିନ ଦୀପକ ବ୍ରଜରାନଜଗର ଆଶ୍ରମ ପଡାର ଉକ୍ତ ଯୁବତୀଙ୍କୁ ମାଁ ରାମଚଣ୍ଡୀ ମନ୍ଦିରରେ ବିବାହ କରୁଥିଲେ। ଏନେଇ ଖବର ପାଇ ଦୀପକଙ୍କ ପ୍ରଥମ ପତ୍ନୀ ଅନୁପମା ସ୍ଥାନୀୟ କାଉନସିଲର ରୁନୁ ବାଗ, ସମାଜସେବୀ ସୁଜାତା ଜେନା, ଓ ସୁଶାନ୍ତ ମେହେରଙ୍କ ସହ ଯାଇ ବ୍ରଜରାଜନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତୁରନ୍ତ ରାମଚଣ୍ଡୀ ମନ୍ଦିର ଯାଇ ଉଭୟ ବରକନ୍ୟାଙ୍କୁ ବେଦୀରୁ ଉଠାଇ ଆଣିଛି। ପ୍ରଥମ ପତ୍ନୀଙ୍କ ଅଭିଯୋଗକୁ ଭିତ୍ତି କରି ଦୀପକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।





