ଖମାରିସାହି ସଂପାଦକ ନିଲମ୍ବିତ, ଡିଇଓ ବହିଃସ୍କୃତ
ନୟାଗଡ଼, (ବାଘୁଆବାର୍ତ୍ତା): ତଞ୍ଚକତା କରି ଖମାରିସାହି ସମବାୟ ସମିତିରେ ଧାନ କିଣାବିକା ଘଟଣାର ହୋଇଛି ବଡ଼ କାର୍ଯ୍ୟାନୁଷ୍ଠନ । ସମବାୟ ସମିତି ସଂପାଦକଙ୍କୁ କାର୍ଯ୍ୟାରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି । ସେହିଭଳି ସମିତିରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ବହିଃଷ୍କୃତ କରାଯାଇଥିବା ବେଳେ ଦାୟିତ୍ୱରେ ଥିବା ସମବାୟ ନିରିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ସୂଚନାନୁସାରେ, ଚାଷୀମାନେ ନିଜ ଜମିରେ ଉତ୍ପାଦିଦ ଧାନକୁ ମଣ୍ଡିରେ ବିକ୍ରି କରି ପାରୁନଥିବା ବେଳେ ଚାଷୀଙ୍କ ଠାରୁ ପଟା ନେଇ ଜଣେ ଦଲାଲ୍ ମଣ୍ଡି ଦାୟିତ୍ୱରେ ଥିବା ଖମାରିସାହି ସମବାୟ ସମିତି ସଂପାଦକଙ୍କ ସହାୟତାରେ ହେରାଫେରି କରିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମବାୟ ବିଭାଗ ନିର୍ଦ୍ଦେଶ ନଂ ୯ ଅନୁଯାୟୀ ଏଠାରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ସୁରେଶ ମାର୍ଥାଙ୍କୁ କାର୍ଯ୍ୟରୁ ବହିଃଷ୍କୃତ କରାଯାଇଥିବା ବେଳେ କ୍ୟାମ୍ପ ଅର୍ଡ଼ର ନଂ ୧ ଅନୁଯାୟୀ ଖମାରିସାହି ସମବାୟ ସମିତି ସଂପାଦକ ପ୍ରଫୁଲ ଚନ୍ଦ୍ର ବିଶ୍ୱାଳଙ୍କୁ ନିଲମ୍ବନ କରାଯାଇଛି । ସେହିଭଳି ଭାବେ ଏହି ସମବାୟ ସମିତି ଦାୟିତ୍ୱରେ ଥିବା ସମବାୟ ନିରୀକ୍ଷକଙ୍କୁ କାରଣ ଦର୍ଶାଆ ନୋଟିସ କରାଯାଇଛି ।






