ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବାସୀଙ୍କ ଦୀର୍ଘଦିନର ଦାବି ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥର ବଡ଼ପଣ୍ଡୁସରଠାରୁ ବାଇପାସ ରାସ୍ତା ନିର୍ମାଣ କରାଯିବା ନେଇ ଜାତୀୟ ରାଜପଥ ମନ୍ତ୍ରାଳୟ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ସାରିଥିବା ଜଣାପଡ଼ିଛି । ଏହି ରାସ୍ତା ବିଭିନ୍ନ ଗ୍ରାମ ଦେଇ ମାଙ୍କପଲ୍ଲୀ ନିକଟରେ ପୁଣିଥରେ ୫୭ ନଂ ଜାତୀୟ ରାଜପଥକୁ ଛୁଇଁବ । ବଡ଼ପଣ୍ଡୁସରଠାରୁ ମାଙ୍କପଲ୍ଲୀ ପର୍ଯ୍ୟନ୍ତ ଦୀର୍ଘ ୧୭ କିଲୋମିଟର ୨୧୦ ମିଟର ବାଇପାସ ରାସ୍ତା ନିର୍ମାଣ ପାଇଁ ମୋଟ ୧୯୮ ଏକର ୫୫ ଡିସିମିଲ ଜମିର ଆବଶ୍ୟକତା ରହିଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ, ଏଥିପାଇଁ ୧୧.୮୨ ଏକର ସରକାରୀ ଜମି ଏବଂ ୧୮୬.୭୨ ଡିସିମିଲି ବେସରକାରୀ ଜମି ଅଧିଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ଜଣାପଡ଼ିଛି । ଏଥିପାଇଁ ମୋଟ ୧୦୧ କୋଟି ଟଙ୍କାର ବ୍ୟୟ ଅଟଳଳ କରାଯାଇଛି । ବଡ଼ପଣ୍ଡୁସର, ଇଟାମାଟି, ନାଗପୁର, କୃଷ୍ଣପୁର, ନରସିଂହପ୍ରସାଦ, ରଘୁନାଥପ୍ରସାଦ, ଗୋଡ଼ିଆଳି, ଜାମୁସାହି, ଧବଳେଇ, ଉଦୟପୁର, ଲେଙ୍କୁଡ଼ିପଡ଼ା, ପିଆଶାଳିଆ, ହରିହରପୁର, ଲଡ଼ୁକେଶରପୁର, ଲେଖନପୁର, ମୁକ୍ତାପୁର, ନବଘନପୁର, ଜୟପୁର, କଳାହାଣ୍ଡି, ତୁଳସିପୁର, ମାଙ୍କପଲ୍ଲୀ ଗ୍ରାମ ଦେଇ ବାଇପାସ ନିର୍ମାଣ କରାଯିବା ନେଇ ସର୍ଭେ କରାଯାଇଥିବା ଜାତୀୟ ରାଜପଥ ବିଭାଗ ସହକାରୀ ଯନ୍ତ୍ରୀ ଚନ୍ଦନ ରଥ ସୂଚନା ଦେଇଛନ୍ତି ।






