ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା କିଷାନ୍ କଂଗ୍ରେସର ଡାକରା କ୍ରମେ ସ୍ଥାନୀୟ ନୀଳମାଧବ ହୋଟେଲ ସଭାଗୃହରେ ଜିଲ୍ଲା କିଷା କଂଗ୍ରେସ ସଭାପତି ବସନ୍ତ କୁମାର ମହାରଣାଙ୍କ ସଭାପତିତ୍ୱରେ କୃଷକ ମାନଙ୍କର ସମସ୍ୟା ନେଇ ଏକ ଉଚ୍ଚ ସ୍ତରୀୟ କର୍ମଶାଳା ଆୟୋଜନ ହୋଇଥିଲା । ଏହି କର୍ମଶାଳାରେ ପ୍ରଦେଶ କଂଗ୍ରେସ କମିଟି ସେଲ୍ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ଜିଲା କଂଗ୍ରେସ କମିଟି ସଭାପତି ରଣଜିତ୍ ଦାଶ, କାର୍ଯ୍ୟକାରୀ ସଭାପତି ମନୋଜ କୁମାର ସାହୁ, ଅନ୍ୟତମ କାର୍ଯ୍ୟକାରୀ ସଭାପତି ହୁସେନ ଖାଁ, ରଣପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥିୀ ଶୁଭଶ୍ରୀ ପଣ୍ଡା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଉମାରାଣୀ ପାଣୀ, ଜିଲ୍ଲା ସେବା ଦଳ ଚେୟାରମ୍ୟାନ୍ ନିରେନ୍ଦ୍ର କୁମାର ଦାସ, ଜିଲ୍ଲା ସଂଖ୍ୟାଲଘୁ ସେଲ୍ ସଦସ୍ୟ ଅମ୍ଜାନ ଖାଁ, ଜିଲା କୃଷକ ନେତା ଗିରିଧାରୀ ମହାପାତ୍ର, ମଞ୍ଚାସୀନ ରହି କୃଷକମାନଙ୍କର ବିଭିନ୍ନ ସମସ୍ୟା ନେଇ ନିଜନିଜର ମତାମତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ କୃଷି ପ୍ରବଣ ନୟାଗଡ଼ ଜିଲାର ଏକମାତ୍ର ଚିନିଶିଳ୍ପ ଯାହାକି କୃଷକମାନଙ୍କର ମେରୁଦଣ୍ଡ ଭାବେ ପରିଚିତ ଥିଲା ଏବେ ତାହା ଖତ ଖାଇବାକୁ ବସିଲାଣି ବୋଲି କହିଥିଲେ । ଏଥିସହିତ ଜିଲ୍ଲାବାସୀଙ୍କ ତରଫରୁ ଦୀର୍ଘଦିନ ହେଲା ବୃତ୍ତଙ୍ଗ ଜଳସେଚନ ଯୋଜନା ପାଇଁ ଦାବୀହୋଇ ଆସୁଥିଲେ ମଧ୍ୟ ଏହି ଯୋଜନା ଏବେବି ସରକାରଙ୍କ ଶୀତଳ ଭଣ୍ଡାରରେ ପଡ଼ିରହିଛି । ଜିଲାରୁ ଉତ୍ପାଦନ ହେଉଥିôବା ପନିପରିବାକୁ ସଂରକ୍ଷଣ କରି ରଖିବା ପାଇଁ ଶୀତଳଭଣ୍ଡାର ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ । ଶେଷରେ ପୂର୍ବତନ ସମିତିସଭ୍ୟ ଉମେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି କର୍ମଶାଳାରେ ଜିଲାର ୮ଗୋଟି ବ୍ଲକ୍ର କୃଷକ ନେତାମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା ।






