ନିମାପଡ଼ା, (ବାଘୁଆବାର୍ତ୍ତା): ନିମାପଡ଼ା ଅଞ୍ଚଳର ଜଣେ ଯୁବକକୁ ଅପହରଣ କରିଥିବା ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଏହି ମାମଲାରେ ଅପହରଣକାରୀ କଟକ ଜିଲ୍ଲା ନିଆଳି ଥାନା ରତନପୁର ଗ୍ରାମର ରାଜକିଶୋର ବେହେରା, ଓ ଜଗନ୍ନାଥ ବେହେରାଙ୍କୁ ଗିରଫ କରାଯାଇଛି । ଏମାନେ ମୁଣ୍ଡ ଜାମିନ୍ ଦେଢ଼ଲକ୍ଷ ରଖିଥିଲେ । ଅପହରଣକାରୀଙ୍କ ପରିବାର ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି । ଅପହରଣକାରୀକୁ କୋର୍ଟଚାଲାଣ ପରେ ଜାମିନ୍ ନାମଞ୍ଜୁର ପରେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏହି ଗ୍ୟାଙ୍କ୍ ସଂପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । କାଠ ପରିବହନକୁ ନେଇ ଏପରି ଅପହରଣ କରାଯାଇଥିବା ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧୀନ ଜମରା ଗ୍ରାମର ମନୋଜ କୁମାର ମହାରଣା ଭୁବନେଶ୍ୱର ବାଲିଅନ୍ତା ଥାନା ରଙ୍ଗ ବଜାରରେ ଘରଭଡ଼ା ନେଇ ପରିବାର ସହିତ ରହୁଛନ୍ତି । ନିମାପଡ଼ା ଅଞ୍ଚଳରେ କାଠମିସ୍ତ୍ରୀ ଭାବେ କାର୍ୟ୍ୟ କରି ଆସୁଥିଲେ । ଦୁଇଦିନ ତଳେ ମନୋଜ ନିମାପଡ଼ା ଆସିଥିବା ବେଳେ ପରିବାରଙ୍କ ସହିତ କୌଣସି ଯୋଗାଯୋଗ କରିନଥିବାରୁ ପରିବାର ଚିନ୍ତାରେ ରହିଥିଲେ । ଗତ ଗୁରୁବାର ସକାଳ ସମୟରେ ଏକ ଫୋନ୍ ଆସିଲା ମନୋଜଙ୍କ ବାପାଙ୍କ ପାଖକୁ ଦେଢ଼ଲକ୍ଷ ଟଙ୍କା ଦେଲେ ତୁମ ପୁଅକୁ ପାଇବ, ନହଲେ ମୁଣ୍ଡଗଣ୍ଡି ଅଲଗା କରିଦେବୁ । ଏହି ଘଟଣାରେ ମନୋଜଙ୍କ ଭାଇ ହରେକୃଷ୍ଣ ମହାରଣା ନିମାପଡ଼ା ଥାନାରେ ଅଭିଯୋଗ କରିଥିଲେ । ଏସପିଙ୍କ ନିର୍ଦ୍ଦେଶକ୍ରମେ ନିମାପଡ଼ା ପୁଲିସ ଉପଖଣ୍ଡ ଅଧିକାରୀ ଦେବାଶିଷ ମିଶ୍ର, ନିମାପଡ଼ା ଥାନା ଆଇଆଇସି କୋଣାର୍କ ଥାନା ଆଇଆଇସିଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ଏହି ଟିମ୍ରେ ଏକ ସେକ୍ସନ୍ ଫୋର୍ସ ରହିଥିଲେ । ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ପୁଲିସ ଜାଣିବାକୁ ପାଇଲା କୋଣାର୍କ ଥାନା ଅଞ୍ଚଳର ଏକ ଗାଁରେ ଅଭିଯୁକ୍ତ ଅପହରଣକାରୀ ମନୋଜଙ୍କୁ ରଖିଛନ୍ତି । ଗୁରୁବାର ବିଳମ୍ବିତ ରାତ୍ରରେ ପୋଲିସ ଚଢ଼ଉ କରି ଏକ ପରିତ୍ୟକ୍ତ ଗୃହରେ ଥିବା ମନୋଜଙ୍କୁ ଉଦ୍ଧାର କରି ଅପହରଣକାରୀଙ୍କୁ ଗିରଫ କରିଛି ।






