ପୁରୀ, (ବାଘୁଆବାର୍ତ୍ତା): ନିମାପଡ଼ାରେ ଜଣେ ଯୁବକଙ୍କୁ ଅପହରଣ କରାଯାଇଛି । ବାଲିଅନ୍ତାର ଜଣେ ଯୁବକ ନିମାପଡ଼ା ଯାଇ ଆଉ ଫେରିନାହାନ୍ତି । ତାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇ ଏବେ ପରିବାରକୁ ଟଙ୍କା ମାଗୁଛନ୍ତି । ଯୁବକଙ୍କ ମୁଣ୍ଡ ଜାମିନ୍ ପାଇଁ ଦେଢ଼ ଲକ୍ଷ ଟଙ୍କା ଦାବି କରୁଛନ୍ତି ଦୁର୍ବୃତ୍ତ । ଯୁବକ ଜଣକ ହେଲେ ବାଲିଅନ୍ତାରେ ରହୁଥିବା କେନ୍ଦ୍ରାପଡା ନିକିରାଇ ଥାନା ଅଧୀନ ଜମରା ଗ୍ରାମର ମନୋଜ କୁମାର ମହାରଣା (୪୦) । ନିମାପଡ଼ା ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଏସ୍ଡିପିଓ ଦେବାଶିଷ ମିଶ୍ର ତଦନ୍ତ ଆରମ୍ଭ କରିଛନ୍ତି । ମିଳିଥିବା ଖବର ଅନୁସାରେ, ବାଲିଅନ୍ତାରେ ପରିବାର ସହ ରୁହନ୍ତି ମନୋଜ । ସେ ଜଣେ କାଠ ମିସ୍ତ୍ରି । ବୁଢୀମା’ଙ୍କ ଦେହାନ୍ତ ପରେ ଶୁଦ୍ଧିକ୍ରିୟା ପାଇଁ କେନ୍ଦ୍ରାପଡ଼ାସ୍ଥିତ ନିଜ ଗାଁ ଜମରାକୁ ଯାଇଥିଲେ ମନୋଜ । ୨ ଦିନ ତଳେ ଫେରି ବାଲିଅନ୍ତାସ୍ଥିତ ଭଡା ଘରେ ଥିଲେ । ଗୁରୁବାର ସକାଳେ ଜଣେ ବନ୍ଧୁଙ୍କ ସହ ସେ କୌଣସି ଏକ କାମରେ ନିମାପଡ଼ା ଆସିଥିଲେ । କାମ ଥିବା କହି ରହିଥିଲେ ମନୋଜ । ବନ୍ଧୁ ଜଣକ ଏକାକୀ ଫେରିଥିଲେ । ଅପରାହ୍ନ ୨ଟାରେ ହଠାତ୍ ମନେଜଙ୍କ ବାପା ପୀତବାସ ମହାରଣାଙ୍କ ମୋବାଇଲ୍କୁ ଏକ କଲ୍ ଆସିଥିଲା । ମନୋଜଙ୍କ ନମ୍ବରରୁ ଏହି କଲ୍ ଆସିଥିବାବେଳେ ସେ ଭୟଭୀତ ଅବସ୍ଥାରେ ଦେଢ ଲକ୍ଷ ଟଙ୍କା ମାଗିଥିଲେ । ସେ କିଛି ଦୁର୍ବୃତ୍ତଙ୍କ କବଳରେ ଥିବାବେଳେ ଦେଢ଼ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିଦେବେ ବୋଲି କହୁଥିଲେ । ପରେ ଦୁର୍ବୃତ୍ତ ମଧ୍ୟ ତାଙ୍କ ପରିବାରକୁ କଲ୍ କରି ଏକ ଆକାଉଣ୍ଟ ନମ୍ବର ଦେଇଥିଲେ । ଟଙ୍କା ପଠାଇବାକୁ ଲଗାତର ଭାବେ ଧମକ ଦେଇଥିଲେ । ପୁଅ ଆମ କଷ୍ଟୋଡିରେ । ଦେଢ଼ ଲକ୍ଷ ଟଙ୍କା ତୁରନ୍ତ ପଠାଅ.. । ନହେଲେ ପୁଅର ମୁଣ୍ଡ ଗଡ଼ିବଟ୍ଟ । ଏଭଳି ଧମକ ଦେଇ ଟଙ୍କା ଦାବି କରୁଥିବାବେଳେ ପରିବାର ପକ୍ଷରୁ ପ୍ରଥମେ କେନ୍ଦ୍ରାପଡ଼ାସ୍ଥିତ ନିକିରାଇ ଥାନାରେ ଏତଲା ହୋଇଥିଲା । କିନ୍ତୁ ବାଲିଅନ୍ତାରୁ ନିମାପଡ଼ା ଯାଇଥିବା କାରଣରୁ ଉକ୍ତ ଥାନା ପୁଲିସ ଏତଲା ଗ୍ରହଣ କରିନଥିଲା । ପରେ ନିମାପଡ଼ା ଥାନାରେ ଏତଲା ଦେଇଥିଲେ ମନୋଜଙ୍କ ଭାଇ ହରେକୃଷ୍ଣ ମହାରଣା । ମୋବାଇଲ୍ ଟ୍ରାକ୍ କରିବାବେଳେ ମନୋଜ ନିମାପଡ଼ା ଅଞ୍ଚଳରେ ଥିବା ଜଣାପଡିବାରୁ ତତ୍କ୍ଷଣାତ୍ ମାମଲା ରୁଜୁ କରିଥିଲା ନିମାପଡା ପୁଲିସ । ନିମାପଡା ଏସ୍ଡିପିଓ ଶ୍ରୀ ମିଶ୍ର ରାତି ୧୧ଟାରେ ଏତଲାକାରୀଙ୍କୁ ପଚରାଉଚରା କରିବା ସହ ମନୋଜଙ୍କୁ ଉଦ୍ଧାର ପାଇଁ ତଦନ୍ତ ଆରମ୍ଭ କରିଥିବା କହିଛନ୍ତ।






