ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ବିଶ୍ବର ଜଣେ ପ୍ରସିଦ୍ଧ ପ୍ରକାଶକ ଓ ସଂପାଦକ ଭାବେ ଜଣାଶୁଣା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ସନ୍ନୀ ମେହେଟାଙ୍କର ପରଲୋକ ହୋଇଯାଇଛି। ସନ୍ନୀ ଆଲଫ୍ରେଡ୍ ଏ ନଫ୍ ପ୍ରକାଶନ ସଂସ୍ଥାର ମୁଖ୍ୟ ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ କନ୍ୟା ତଥା ଲେଖିକା ଗୀତାଙ୍କୁ ବିବାହ କରିଥିଲେ । ଆମେରିକାର ନ୍ୟୁୟର୍କ ନିବାସୀ ସନ୍ନୀଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।୧୯୪୨ରେ ଜନ୍ମିତ ସନ୍ନୀ ତତ୍କାଳୀନ ଭାରତୀୟ ରାଷ୍ଟ୍ରଦୂତ ଅମିର ସିଂହ ମେହେଟାଙ୍କ ପୁତ୍ର। ଶୈଶବରେ ବିଶ୍ବର ବିଭିନ୍ନ ଦେଶ ଓ ସହରରେ ଜୀବନ ଅତିବାହିତ କରିଥିବା ସନ୍ନୀ ଭାରତର ସନଓ୍ବାର ସ୍କୁଲ ଓ ଲଣ୍ଡନର ସେଭେନ୍ଓକ୍ସ ସ୍କୁଲରେ ପାଠ ପଢ଼ିଥିଲେ। ପରେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଇତିହାସ ଓ ଇଂରାଜୀରେ ଶିକ୍ଷା ସମାପ୍ତ କରି ପ୍ରସିଦ୍ଧ ପତ୍ରିକା ଗ୍ରାନ୍ତାର ସଂପାଦନା କରିଥିଲେ। ୧୯୬୫ରେ ଲଣ୍ଡନର ହର୍ଟ-ଡାଭିସ୍ରୁ ନିଜର ପ୍ରକାଶନ ବୃତ୍ତି ଆରମ୍ଭ କରିଥିଲେ ସନ୍ନୀ। ୧୯୬୬ରେ ସେ ପାଲାଦିନ୍ ନାମରେ ପ୍ରକାଶନ ସଂସ୍ଥାର ସହ ସଂସ୍ଥାପକ ପାଲଟିଲେ। ଦୁଇ ଦଶନ୍ଧିରୁ ଅଧିକା କାଳ ୟୁରୋପରେ ପ୍ରକାଶନ ଓ ସଂପାଦନା ଶିଳ୍ପରେ କାମ କରିବା ପରେ ୧୯୮୭ରେ ସେ ନ୍ୟୁୟର୍କ ଯାଇଥିଲେ। ସେଠାରେ ସେ ଆଲଫ୍ରେଡ୍ ଏ ନଫ୍ର ମୁଖ୍ୟ ସଂପାଦକ ଭାବେ ଯୋଗ ଦେଲେ। ଓଡ଼ିଶାର ଜାମାତା ଭାବରେ ସେ ଏକାଧିକ ବାର ଆସିଛନ୍ତି।






