ନୟାଗଡ଼,(ବାଘୁଆବାର୍ତ୍ତା) : ଆଗକୁ ନୂଆବର୍ଷ ପାଇଁ ଆମିଷ ବଜାରର ଅହେତୁକ ଚାହିଦା ରହିଛି । ଦୁଇ ସପ୍ତାହ ବ୍ୟାପି ବିଭିନ୍ନ ସ୍ଥାନରେ ଭୋଜି ଭାତର ଆସର ଜମୁଛି । ଏପରିସ୍ଥଳରେ ଗତ ୨୦ ତାରିଖ ରାତିରେ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ଭାବିନ୍ଦ୍ର ମଳିକଙ୍କ ୧୮ ପଟ ଛେଳି ଦୁର୍ବୁତ୍ତମାନେ ଗାଡ଼ିରେ ଲଦି ନେଇ ଯାଇଥିଲେ । ଛେଳି ଚୋରି କରାଯାଉଥିବା ଖବର ପାଇ ଗ୍ରାମବାସୀ ସେଠାରେ ପହଂଚିବା ବେଳକୁ ଲୁଟେରାମାନେ ସେମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଚାଲି ଯାଇଥିଲେ । ଏନେଇ ଭାବିନ୍ଦ୍ର ବାଣିଗୋଚ୍ଛା ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାର ଅନୁଧ୍ୟାନ କରୁଥିବା ବେଳେ ଲୁଟେରା ମାନେ ୨୬ ତାରିଖ ରାତିରେ ଦଶପଲ୍ଲା ଥାନ ମଧ୍ୟଖଣ୍ଡ ଫାଣ୍ଡି ଅନ୍ତର୍ଗତ ଦଣ୍ଡାଭୁଇଁ ଗ୍ରାମର ରବିନ୍ଦ୍ର ରାଉତଙ୍କ ୮୦ ପଟ ମେଣ୍ଢା ଲୁଟି ନେଇଥିବା ଜଣାପଡ଼ିଛି । ଏନେଇ ରବିନ୍ଦ୍ର ମଧ୍ୟଖଣ୍ଡ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ଏହି ଘଟଣାର ଦିନକ ପରେ ଅର୍ଥାତ ୨୭ ତାରିଖ ରାତିରେ ବାଣିଗୋଚ୍ଛା ଥାନା ଅନ୍ତର୍ଗତ ବାଣିଗୋଚ୍ଛା ଗ୍ରାମର ନିର୍ମଳ ସାହୁଙ୍କ ଛେଳି ଗୁହାଳରୁ ୨୫ ପଟ ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି । ନୂଆବର୍ଷକୁ ଲକ୍ଷ୍ୟ ରଖି ଲୁଟେରାମାନେ ଏଭଳି ନିଆରା ଢଙ୍ଗର ଲୁଟକୁ ଆପଣାଇଥିବା ବେଳେ ଚୋରି ଘଟଣା ଛେଳି, ମେଣ୍ଢା ଚାଷୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ବର୍ଷ ବର୍ଷ ଧରି ନିଜେ କଷ୍ଟକରି ସେମାନଙ୍କ ମୁଲ୍ୟ ପାଇବା ବେଳକୁ ଲୁଟେରାମାନେ ତାଙ୍କୁ ଚକମା ଦେଉଥିବା ଜଣାପଡ଼ିଛି ।






