ବାଲିକୁଦା, (ବାଘୁଆବାର୍ତ୍ତା): ରାୟରପୁର ହନୁମାନ ମନ୍ଦିରରୁ ପ୍ରଭୁ ହନୁମାନଙ୍କ ମୁକୁଟ ଚୋରି ଘଟଣାର ତିନି ମାସ ପରେ ବାଲିକୁଦା ପୁଲିସକୁ ସଫଳତା ମିଳିଛି । ଉକ୍ତ ଘଟଣାରେ ବାଲିକୁଦା ପୁଲିସ ଜଗତସିଂହପୁର ଥାନା ପଦ୍ମପୁରର ଜଣେ ବଣିଆ ତ୍ରିଲୋଚନ ସାଥୁଆ(୫୫)ଙ୍କ ସମେତ ୩ ଜଣଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଚୋରି ମୁକୁଟକୁ ବଣିଆ ଠାରୁ ଉଦ୍ଧାର କରିଛି ପୁଲିସ । ଚୋରିର ମୁଖ୍ୟ କାରପର୍ଟଦାରକୁ ଗତ ଦୁଇ ଦିନ ତଳୁ ଉଠାଇ ନେଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଆଉ ଦୁଇ ଜଣ ଚୋରଙ୍କୁ ଗତକାଲି ଉଠାଇ ନେଇଥିଲା । ଚୋରି ମୁକୁଟ କିଣିଥିବା ବଣିଆକୁ ପୁଲିସ ଉଠାଇ ଆଣି ପଚରା ଉଚରା ପରେ ସେ ସଫିପୁର ଗାଁର ବୁଟା ଓରଫ ସମରେନ୍ଦ୍ର ପାଳ (୩୨) ଠାରୁ ମୁକୁଟ କିଣିଥିବା କହିଥିଲା । ପରେ ପୁଲିସ ବୁଟାକୁ ଗତକାଲି ରାତିରେ ବାନ୍ଧିଛି । ବୁଟାର ବୟାନ ଅନୁଯାୟୀ ଧର୍ମାଗଡ଼ ଗାଁର ବିଶୁ ଓରଫ ସୁବାଶିଷ ଦାସ(୩୨)କୁ ଉଠାଇ ନେଇ ପୁଲିସ ଅଟକ ରଖିଥିଲା । ସେହିପରି ଚୋରିରେ ସାମିଲ ଅନ୍ୟ ଜଣେ ବିଗତ କିଛି ମାସ ହେବ ବାହାର ରାଜ୍ୟରେ ରହି ଚାକିରି କରୁଥିବା ଜଣାପଡ଼ିଛି । କେବଳ ଏହି ମନ୍ଦିର ନୁହେଁ, ଗତ ଦିନ ମାନଙ୍କରେ ବାଲିକୁଦା ଅଞ୍ଚଳର ବିଭିନ୍ନ ମନ୍ଦିର ଓ ମଠରୁ ହୋଇଥିବା ଚୋରିରେ ଏମାନଙ୍କ ସମ୍ପୃକ୍ତି ଥିବା ଅନୁମାନ ଲଗାଇଛି ପୁଲିସ । ଅଭିଯୁକ୍ତମାନଙ୍କୁ ଶନିବାର ଦିନ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଜାମିନ ନାମଞ୍ଜର ହେବାରୁ ତିନି ଜଣଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ଏହି ଥାନା ଅଧୀନ କୃଷ୍ଣଦାସପୁର ପଞ୍ଚାୟତ ରାୟରପୁର ଗାଁରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ହନୁମାନ ମନ୍ଦିର ଓ କ୍ଷେତ୍ରପାଳ ମନ୍ଦିରରେ ଉକ୍ତ ଦୁଇ ଦିଅଁ ପୂଜା ପାଉଛନ୍ତି । ଭକ୍ତଙ୍କ ଦାନରେ ଏହି ଦିଅଁ ମାନଙ୍କର ବିଭିନ୍ନ ଅଳଙ୍କାର ସମେତ ଚାନ୍ଦିର ମୁକୁଟ ତିଆରି କରାଯାଇ ପ୍ରଭୁ ମାନଙ୍କୁ ବିଭୂଷିତ କରାଯାଉଥିଲା । ମାତ୍ର ଚୋର ମାନଙ୍କ ଲୋଲୁପ ଦୃଷ୍ଟି ଏହି ମନ୍ଦିର ଉପରେ ପଡ଼ିବାରୁ ଗତ ବର୍ଷ ଦଶହରା ଦିନ ଦୁଇ ଠାକୁରଙ୍କ ୨ ଟି ମୁକୁଟ ସମେତ ଭକ୍ତଙ୍କ ଦାନ ଅର୍ଥ ଚୋରି ଚୋରି ହୋଇଥିଲା । ଏନେଇ ଥାନାରେ ଲିଖିତ ଅଭିଯୋଗ ସେତେବେଳେ କରାଯାଇଥିଲା । ହେଲେ ପୁଲିସ ନା ଚୋରି ଅଳଙ୍କାର ନା ଚୋର କାହାରିକୁ ହେଲେ ଠାବ କରି ପାରି ନଥିଲା । ସେପଟେ ଏହାର ଠିକ ୬ ମାସ ପରେ ମନ୍ଦିର ପୂଜକଙ୍କ ମୋବାଇଲକୁ ଚୋର ଚୋରିକରି ନେଇଥିଲେ । ଆଉ ଏହା ପରେ ଗତ ଜୁଲାଇ ୨୩ ତାରିଖରେ ଅନୁରୂପ ଭାବେ ମହାବୀରଙ୍କ ରୁପାର ମୁକୁଟକୁ ଚୋରି କରି ନିଆଯାଇ ଉକ୍ତ ମୁକୁଟକୁ ଜଗତସିଂପୁର ଥାନା ଅନ୍ତର୍ଗତ ଗଉଡ଼ୁଣି ପଡ଼ିଆ ବଜାରରେ ଥିବା ଏକ ଗହଣା ଦୋକାନରେ ବିକ୍ରି କରିଥିବା ସୂଚନା ମିଲିଥିଲା । ଏନେଇ ମନ୍ଦିର ପରିଚାଳନା ପରିଷଦ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହ ବିଶୁ ବ୍ୟବହାର କରୁଥିବା ବାଇକ୍କୁ ପୁଲିସ ଜବତ କରିଥିବା ଜାଣିବାକୁ ମିଳିଛି ।






