କଟକରୋଡ, (ବାଘୁଆବାର୍ତ୍ତା): କୋଭିଡ୍ ନିୟମ ଉଲ୍ଲଂଘନ ନେଇ ଜଣେ ନାବାଳକଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଦୋକାନରୁ ଉଠାଇ ନେଇ ମାଡ଼ ମାରିଛି । ଏହାକୁ ନେଇ ପୁରୁଣା ଷ୍ଟେସନ ବଜାର ପୂଜାସମିତି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସେମାନେ ଶୁକ୍ରବାର ରାତିରେ ଥାନା ଘେରାଉ କରିଥିଲେ । ଏନେଇ ଡିସିପି ଉମାଶଙ୍କର ଦାସଙ୍କୁ ଭେଟି ଏସ୍ଆଇ ଶଶିକାନ୍ତ ରାଉତ ଓ ହୋମ୍ଗାର୍ଡ ପ୍ରକାଶଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଥିଲେ । ମିଳିଥିବା ସୂଚନା ମୁତାବକ, ସମିତି ନିକଟରେ ଏକ ପୂଜାସାମଗ୍ରୀ ଦୋକାନ ରହିଛି । ଶୁକ୍ରବାର ରାତିରେ ଦୋକାନ ଚଳାଉଥିବା ଜଣେ ନାବାଳକ ଦୋକାନ ବନ୍ଦ କରିବାରେ ସାମାନ୍ୟ ବିଳମ୍ବ କରିଥିଲେ । ତେବେ ପାଟ୍ରୋଲିଂରେ କରୁଥିବା ଥାନାର ଏସ୍ଆଇ ଶଚିକାନ୍ତ ରାଉତ ସଂପୃକ୍ତ ନାବାଳକଙ୍କୁ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ମାଡ଼ ମାରିବା ସହ ଥାନାକୁ ନେଇ ଆସିଥିଲେ । ଏଥିସହ ଆଉ କିଛି ବ୍ୟବସାୟୀଙ୍କୁ ମଧ୍ୟ ଥାନାକୁ ନେଇ ଆସିଥିଲେ । ତେବେ ଏହାକୁ ବିରୋଧ କରି ଷ୍ଟେସନ୍ ବଜାର ପୂଜା ସମିତିର କର୍ମକର୍ତ୍ତାମାନେ ଥାନାରେ ପହଞ୍ଚି ସଂପୃକ୍ତ ନାବାଳକଙ୍କୁ ଛାଡ଼ିବାକୁ କହିଥିଲେ । ହେଲେ ଥାନାର କୌଣସି କର୍ମଚାରୀ ସେମାନଙ୍କ କଥା ଶୁଣିନଥିଲେ । ଏହାର ପ୍ରତିବାଦ କରି ପୂଜା ସମିତିର କର୍ମକର୍ତ୍ତାମାନେ ଲକ୍ଷ୍ମୀସାଗର ଥାନା ଘେରାଉ କରିଥିଲେ । ଏହି ସମୟରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଆଇଆଇସିଙ୍କ ଡ୍ରାଇଭର ପ୍ରକାଶ । ଧାରଣା ଦେଇଥିବା ପୂଜା ସମିତିର କର୍ମକର୍ତ୍ତାଙ୍କ ଉପରେ ଗାଡ଼ି ଚଢାଇ ଦେବେ ବୋଲି ଧମକ ଦେଇଥିଲେ । ଏହା ପରେ ସ୍ଥିତି ପୂରା ବିଗିଡ଼ି ଯାଇଥିଲା । ଦୀର୍ଘ ସମୟ ସେଠାରେ ବସିବା ପରେ ନିଷ୍ପତ୍ତି ନେଇଥିଲେ ଯେ ପର୍ୟ୍ୟନ୍ତି ଏସ୍ଆଇ ଶଶିକାନ୍ତ ରାଉତ ଓ ହୋମ୍ଗାର୍ଡ ପ୍ରକାଶଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନ ହୋଇଛି ସେ ପର୍ୟ୍ୟନ୍ତ ଭସାଣି କରାଯିବ ନାହିଁ । ଏ ବିଷୟରେ ଖବର ପାଇଥିଲେ ଡିସିପି ଶ୍ରୀ ଦାସ । ତା’ପରେ ପୂଜା ସମିତିର କର୍ମକର୍ତ୍ତାଙ୍କୁ ଡାକି ବୁଝାସୁଝା କରିଥିଲେ । ଜଣେ ଅତିରିକ୍ତ ଡିସିପିଙ୍କୁ ଏହି ଘଟଣାର ତଦନ୍ତ ଦାୟତ୍ୱ ଦେଇଥିଲେ । ଉକ୍ତ ଏସ୍ଆଇଙ୍କ ବିରୋଧରେ ଅନେକ ଅଭିଯୋଗ ଆସୁଛି ବୋଲି ଡିସିପି ସୂଚନା ଦେଇଛନ୍ତି । ଏସିପି ଓ ଆଇଆଇସିଙ୍କୁ ମଧ୍ୟ ଡିସିପି ତାଗିଦ୍ କରିଥିଲେ । ଅତିରିକ୍ତ ଡିସିପି ତଦନ୍ତ ରିପୋର୍ଟ ଦେଲେ ଏସ୍ଆଇ୍ଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ।






