ଭୁବନେଶ୍ବର, (ବାଘୁଆବାର୍ତ୍ତା): ଜାତୀୟ କ୍ରୀଡା ହକିର ନବଉନ୍ମେଷ ପଛରେ ଯଦି କାହାର ଅବଦାନ ଅଧିକ ଥାଏ ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟୋଜକ ଖୋଜୁଥିବା ଜାତୀୟ ହକି ଟିମ୍ର ହାତ ଧରିବା ହେଉ କି ରେକର୍ଡ ସମୟରେ ବିଶ୍ୱକପ ହକିର ଆୟୋଜନ କରିବାରେ ନବୀନଙ୍କ କ୍ରୀଡା ପ୍ରେମ ସାରା ଦେଶରେ ଚର୍ଚ୍ଚିତ ହୋଇଥିଲା । କଳିଙ୍ଗ ଷ୍ଟାଡିୟମର ନବକଳେବର ଓ ହକି ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ତିଆରି କରି ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ୱରକୁ ଦେଶର ସ୍ପୋର୍ଟସ କ୍ୟାପିଟାଲ ଭାବେ ପରିଚିତ କରାଇଥିଲେ । ଉଭୟ ମହିଳା ଓ ପୁରୁଷ ହକି ହକି ଦଳର ଆୟୋଜକ ହୋଇଥିଲା ଓଡ଼ିଶା । ହକି ଅଲମ୍ପିକ୍ସ ପୂର୍ବରୁ ଉଭୟ ଦଳକୁ ନିରନ୍ତର ପ୍ରୋତ୍ସାହନ ଦେଇ ଚାଲିଥିଲେ । ୪୧ ବର୍ଷର ଅପେକ୍ଷା ପରେ ପୁରୁଷ ହକି ଦଳ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାତେଇଥିଲା । ହକିର ଏହି ସ୍ୱର୍ଣ୍ଣିମ ସଫଳତା ପରେ ସମସ୍ତେ ଓଡ଼ିଶା ଏବଂ ନବୀନଙ୍କ ଅବଦାନକୁ ଭୁରି ଭୁରି ପ୍ରଂଶସା କରିଥିଲେ । ସୁନ୍ଦରଗଡ଼ରେ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ ନିର୍ମାଣ ସହ ପ୍ରତି ଜିଲ୍ଲାରେ ଇନ୍ଡୋର ଷ୍ଟାଡିୟମ ତିଆରି ଯୋଜନାକୁ ଖାଲି କ୍ରୀଡାପ୍ରେମୀ ନୁହେଁ, ବିରୋଧୀ ବି ପ୍ରଂଶସା କରିବାକୁ ବାଧ୍ୟ ହେଉଛନ୍ତି ।






