ଭୁବନେଶ୍ୱର, (ବାଘୁଆବାର୍ତ୍ତା): ‘ନୂଆ ସ୍ୱପ୍ନ, ନୂଆ ସଂକଳ୍ପ । ଆଖି ତରାଟିଲା ଭଳି ବିକାଶ ପାଇଁ କଠିନ ପରିଶ୍ରମ । ରାଜ୍ୟର କ୍ଷମତା ଡୋରି ଧରିଥିବା ନବୀନ ଆତ୍ମବିଶ୍ୱାସର ସହ ଗତ ଦୁଇ ଦଶନ୍ଧି ଧରି ବେଶ କସରତ କରୁଛନ୍ତି । ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକରେ ରାଜ୍ୟବାସୀଙ୍କ ପଛରେ ନବୀନ ‘କାନ୍ଥ’ ଭଳି ଛିଡ଼ା ହୋଇଛନ୍ତି । ସାରା ଦୁନିଆ ଯେତେବେଳେ କରୋନା ସଂକଟରେ ଛଟପଟ, ନବୀନ ‘ଆକ୍ସନମୁଡ୍’କୁ ଓହ୍ଲାଇଲେ । କରୋନା ପରୀକ୍ଷାରୁ ଚିକିତ୍ସା ଯାଏ ସରକାର ସବୁ ମାଗଣାରେ ଯୋଗାଇ ଦେଲେ । କରୋନା ବିରୋଧରେ ଲଢ଼େଇକୁ ବେଶ୍ ତଗଡ଼ା କଲେ । କରୋନା ନିୟନ୍ତ୍ରଣ ପାଇଁ ନବୀନଙ୍କ ସଫଳ ପରିଚାଳନା ତାଙ୍କୁ ସଂକଟମୋଚକର ନୂଆ ପରିଚୟ ଦେଇଛି । ନବୀନଙ୍କୁ କମ୍ କରି ଆଙ୍କ ନାହିଁ । ସେ ବାଉନ୍ସ ବ୍ୟାକ୍ କରିବେ । କେବଳ ନବୀନଙ୍କ ପାଖଲୋକ ନୁହନ୍ତି ସମାଲୋଚକମାନେ ମଧ୍ୟ ଏମିତି କହିଥାନ୍ତି । ନିଜ କାର୍ୟ୍ୟ ଓ ସଫଳତାରେ ସ୍ୱୟଂ ନବୀନ ଏହାକୁ ପ୍ରମାଣିତ ମଧ୍ୟ କରିଛନ୍ତି । ଶତାବ୍ଦୀର ସବୁଠୁ ବଡ଼ ସଂକଟ ଆଉ ଜଟିଳ ପରିସ୍ଥିତି । କରୋନା ମହାମାରୀ ସମୟରେ ରାଜ୍ୟ ମୁଖିଆ ଭାବେ ନବୀନ ପଟ୍ଟନାୟକ କିନ୍ତୁ ମୁକାବିଲା କୌଶଳରେ ବେଶ୍ ସଫଳ ହୋଇଛନ୍ତି । ତାଙ୍କ ନେତୃତ୍ୱରେ ଓଡ଼ିଶା ଯାହା ଆଜି ଚିନ୍ତା କରୁଛି, ଦେଶ ସପ୍ତାହକ ପରେ । ଓଡ଼ିଶା ଯେଉଁ ବାଟ ଦେଖାଉଛି, ଅନ୍ୟ ରାଜ୍ୟ ସେଇ ରାସ୍ତାରେ ଚାଲୁଛନ୍ତି । ନବୀନଙ୍କ ନିଷ୍ଠା ଓ ଆନ୍ତରିକତା ଇତିହାସ ପୃଷ୍ଠାରେ ଯୋଡ଼ିଛି ସ୍ୱର୍ଣ୍ଣିମ ଫର୍ଦ୍ଦ । ରାଜ୍ୟବାସୀଙ୍କ ନିକଟରେ ସେ ସଂକଟମୋଚକ ଭାବେ ଉଭା ହୋଇଛନ୍ତି । ବିପର୍ୟ୍ୟୟ ମୁକାବିଲାରେ ଓଡ଼ିଶା ଆନ୍ତର୍ଜାତିକସ୍ତରରେ ‘ବେଞ୍ଚ ମାର୍କ’ ପ୍ରତିଷ୍ଠା କରିଥିଲା ବେଳେ ଏବେ କରୋନା ମୁକାବିଲାରେ ମଧ୍ୟ ଓଡ଼ିଶା ରୋଲ ମଡେଲ୍ । କରୋନା କବଳରେ ସାରା ବିଶ୍ୱ କବଳିତ । ସମସ୍ତେ ଛଟପଟ । ମାତ୍ର ଏ ମହମାରୀର ସଫଳ ମୁକାବିଲା ପାଇଁ ନୂଆ ଓ ଅଭିନବ କୌଶଳ ଆଦରିବାରେ ନବୀନ ସବୁବେଳେ ଆଗରେ । ‘ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ’- ଏ ମନ୍ତ୍ରକୁ ଧରି କରେନା ବିରୋଧୀ ଲଢ଼େଇକୁ ସରକାର ଜୋରଦାର କରିଛନ୍ତି । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି କରୋନା ପରୀକ୍ଷାରୁ ଆରମ୍ଭ କରି ଚିକିତ୍ସା ସେବା ସବୁ ମାଗଣାରେ ମିଳୁଛି । ସରକାରଙ୍କର ଏଭଳି ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଭୂୟସୀ ପ୍ରଶଂସା କରିଛି । ପ୍ରଥମ ଲହର ପରେ ଦ୍ୱିତୀୟ ଲହରକୁ ନିୟନ୍ତ୍ରଣରେ ରଖିବାରେ ଓଡ଼ିଶା ସଫଳ ହେଲା । ଏ ସଂକଟ କାଳରେ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କରି ରାଜ୍ୟ ଦିଗବାରେଣୀ ସାଜିଲା । ସମଗ୍ର ବିଶ୍ୱରେ କୋକୁଆଭୟ ଆଣିଲା କରୋନା । କରୋନା ଓଡ଼ିଶା ଛୁଇଁବା ଆଗରୁ ବେଶ ସତର୍କ ହୋଇ ପଡ଼ିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ଦୂରଦୃଷ୍ଟିରୁ ୨୦୨୦, ମାର୍ଚ୍ଚ ୧୩ ରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହାକୁ ମହାମାରୀକୁ ‘ରାଜ୍ୟ ବିପର୍ୟ୍ୟୟ’ ଭାବେ ଘୋଷଣା କରିଥିଲେ । ଦେଶରେ ଲକଡାଉନ୍ ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ କରୋନାକୁ କାବୁ କରିବାକୁ ରାଜ୍ୟରେ ଲକଡାଉନ୍ ଜାରି କରିଥିଲେ । କେବଳ ସେତିକି ନୁହେଁ ସବୁ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ ହସପିଟାଲ ପ୍ରତିଷ୍ଠା, କୋଭିଡ୍ କେୟାର ସେଣ୍ଟର ଖୋଲିବାରେ ରାଜ୍ୟ ଅଗ୍ରଣୀ ଭୂମିକା ନେଇଥିଲା । କରୋନାର ଗମ୍ଭୀରତାକୁ ଆକଳନ କରି ମୁଖ୍ୟମନ୍ତ୍ରୀ ନେଇଥିବା ଅଭିନବ ପଦକ୍ଷେପ କରୋନା ମୁକାବିଲାରେ ରାଜ୍ୟକୁ ବେଶ୍ ସଫଳତା ଆଣିପାରିଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ରାଜ୍ୟର ଏହି ଦୂରଦୃଷ୍ଟିସଂପନ୍ନ ପଦକ୍ଷେପରୁ ଓଡ଼ିଶାରେ ସଂକ୍ରମଣ ହାର ନିୟନ୍ତ୍ରଣରେ । ରାଜ୍ୟରେ ସୁସ୍ଥତା ହାର ମଧ୍ୟ ସବୁଠୁ ସନ୍ତୋଷଜନକ । ନବୀନଙ୍କ ପଦକ୍ଷେପ ବ୍ୟର୍ଥ ଯାଇନି । ରାଜ୍ୟରେ ଏବେ କରୋନା ସଂକ୍ରମଣର ଗ୍ରାଫ୍ ତଳମୁହାଁ ଧରିଛି । ବହୁ ମୂଳ୍ୟବାନ ଜୀବନ ମଧ୍ୟ ରକ୍ଷା ହୋଇଛି । କରୋନା ମୁକାବିଲାରେ ରାଜ୍ୟକୁ ମିଳିଥିବା ଏ ସଫଳତା ପଛରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ, ନିୟମିତ ସ୍ଥିତି ସମୀକ୍ଷା ସହ ସରକାରୀ କଳର ପରିଶ୍ରମକୁ ସମୟ ମନେ ରଖିବ । କରୋନା ପାଇଁ ରାଜ୍ୟ ସରକାର ପୂରା ଯୁଦ୍ଧମୁଦ୍ରାରେ ଥିଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ ଇଛାଶକ୍ତି ଆଗଧାଡ଼ିର କୋଭିଡ୍ ଯୋଦ୍ଧାମାନଙ୍କୁ ବେଶ୍ ଉତ୍ସାହିତ କରିଛି । କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ବଳ ଦେଇଛି । କରୋନା ସଂକ୍ରମଣ ରୋକିବାକୁ ଲଢ଼େଇର ଆଗଧାଡ଼ିରେ ଥିବା କୌଣସି ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆଦିଙ୍କ ମଧ୍ୟରୁ ଯଦି କାହାର ମୃତ୍ୟୁ ଘଟେ ତେବେ ତାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ । ପ୍ରାଣ ହରାଇଥିବା ଏହି ଯୋଦ୍ଧାଙ୍କୁ ସରକାର ସହିଦ ଘୋଷଣା କରିବେ । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ । ତାଙ୍କର ଯେତିକି ଦିନ ଚାକିରି କାଳ ବାକି ଥିବ ତାଙ୍କ ପରିବାର ସେତିକି ଦିନ ଯାଏ ଦରମା ପାଇବେ । ଏହାଛଡ଼ା ଆମ ଜାତି ପ୍ରତି ତାଙ୍କ ବଳିଦାନକୁ ସ୍ମରଣ କରିବାକୁ ସରକାର ସେ ଯୋଦ୍ଧାଙ୍କ ସ୍ମୃତିରେ ପୁରସ୍କାର ପ୍ରଚଳନ କରି ଜାତୀୟ ଦିବସରେ ପ୍ରଦାନ କରିବେ । ନବୀନଙ୍କ ଏ ବଡ଼ ଘୋଷଣା କରୋନା ଯୁଦ୍ଧରେ ରାଜ୍ୟକୁ ଆହୁରି ଆଗକୁ ନେଇଛି । ମହାମାରୀ ‘କରୋନା’ ଚକ୍ରବ୍ୟୁହ ଭିତରେ ରାଜ୍ୟ ସରକାର ଲଢ଼େଇ କରୁଥିଲା ବେଳେ ଜୀବନ ଓ ଜୀବିକା ମଧ୍ୟରେ ସନ୍ତୁଳନ ପାଇଁ ବାଟ ମଧ୍ୟ ଖୋଲିଛନ୍ତି । ସହରାଞ୍ଚଳର ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ସହ କାମଧନ୍ଦା ଯୋଗାଇବାକୁ ପୌରସଂସ୍ଥାଗୁଡ଼ିକୁ ୧୦୦ କୋଟିର ପାଣ୍ଠି ଆବଣ୍ଟନ କରିଛନ୍ତି ସରକାର । ରାଜ୍ୟର ଗରିବ ଓ ଶ୍ରମିକ ପରିବାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ । କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୯୪ ଲକ୍ଷ ପରିବାରକୁ ରାଜ୍ୟ ସରକାର ୧ ହଜାର ଟଙ୍କାର ସହାୟତା ପ୍ରଦାନ କରଛନ୍ତି । ୨୨ ଲକ୍ଷ ନିର୍ମାଣ ଶ୍ରମିକ ପରିବାରକୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ମଧ୍ୟ ମିଳିଛି । ଉଠା ଦୋକାନି, ଚାଷୀ ପରିବାରକୁ ମଧ୍ୟ ସରକାର ସହଯୋଗର ହାତ ବଢ଼ାଇଛନ୍ତି । ଜୀବନ ଓ ଜୀବିକା ଏବେ ସ୍ୱାଭାବିକ ଆଡକୁ ଗତି କରୁଛି । ମହାମାରୀ କରୋନାର ପ୍ରଥମ ଲହରରେ ରାଜ୍ୟ ବାହାରେ ଥିବା ପ୍ରବାସୀଙ୍କୁ ଫେରାଇ ଆଣିବାକୁ ମଧ୍ୟ ନବୀନଙ୍କୁ କମ୍ କସରତ କରିବାକୁ ପଡ଼ିନି । ହଟସ୍ପଟ ରାଜ୍ୟରେ ସାଢ଼େ ୯ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ନିଜସ୍ୱ ଖର୍ଚ୍ଚରେ ରାଜ୍ୟ ସରକାର ଘରକୁ ଫେରାଇ ଆଣିଥିଲା ବେଳେ ସେମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲା ଯାଇଥିଲା । ସେମାନଙ୍କୁ ସେଠାରେ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବା ପରେ ଘରକୁ ଯିବାକୁ ଅନୁମତି ମିଳିଥିଲା । ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଚାଳନା ସହ କରୋନା ସଂକ୍ରମଣ ରୋକିବାକୁ ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ କ୍ଷମତା ଦେଇଥିଲେ । କରୋନା ଯୁଦ୍ଧରେ ବିଜୟୀ ହେବାକୁ ନବୀନଙ୍କ ଏ ପଦକ୍ଷେପ ଜାତୀୟ ଗଣମାଧ୍ୟମ ପାଇଁ ପାଲଟିଥିଲା ବଡ଼ ଖବର । ତୃଣମୂଳସ୍ତରରେ କାମ କରୁଥିବା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଓ ପୁଲିସ ସମସ୍ତଙ୍କ ସହଯୋଗରେ ମୁଖ୍ୟମନ୍ତ୍ରୀ କରୋନା ଲଢ଼େଇ ଲଢ଼ିବାକୁ ପଣ କରି ଗୋଟିଏ ପରେ ଗୋଟିଏ ପାହାଚ ଆଗକୁ ମାଡ଼ି ଚାଲିଛନ୍ତି । ଦୁଆର ଦୁଆର ବୁଲି ସର୍ଭେ ହୋଇଛି । ସମବେତ ହୋଇ ରାଜ୍ୟବାସୀ ଗାଇଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ । କରୋନା ଯୁଦ୍ଧରେ ବୈଷୟିକ ଜ୍ଞାନ କୌଶଳର ପୂର୍ଣ୍ଣ ବ୍ୟବହାର କରି ଆନ୍ତର୍ଜାତିକସ୍ତରରେ ବେଶ୍ ପ୍ରଶଂସା ସାଉଁଟିଛି ରାଜ୍ୟ । ବୋଝ ଉପରେ ନଳିତା ବିଡ଼ା ପରି କରୋନା କାଳରେ ରାଜ୍ୟ ମହାବାତ୍ୟା ‘ଅମ୍ଫନ’ର ଧକ୍କା ମଧ୍ୟ ଖାଇଛି । ମାତ୍ର ନବୀନଙ୍କ ଦମ୍ଭ ଓ ଆତ୍ମବିଶ୍ୱାସ ଦୋହଲିନଥିଲା । ମୁଖ୍ୟମନ୍ତ୍ରୀଙ୍କ କରୋନା ଲଢ଼େଇକୁ ସାଢ଼େ ୪ କୋଟି ଓଡ଼ିଆ ମଧ୍ୟ ଦେଇଛନ୍ତି ଭରପୂର ସମର୍ଥନ । ସମସ୍ତଙ୍କ ସହଯୋଗରେ କରୋନାକୁ ପରାସ୍ତ କରିବା ପାଇଁ ଯୁଦ୍ଧ ଏବେ ନିର୍ଣ୍ଣାୟକ ସ୍ଥିତିରେ । କରୋନା ହାରିବ, ଓଡ଼ିଶା ଜିତିବ । ସମୟର ସ୍ୱର୍ଣ୍ଣିମ ଫର୍ଦ୍ଦରେ ନବୀନଙ୍କ ‘ସଂକଟମୋଚକ’ ଭୂମିକା ସବୁଦିନ ପାଇଁ ମନେ ରହିବ । କେବଳ କରୋନା ନୁହେଁ, ବିପର୍ୟ୍ୟୟ ପରିଚାଳନାରେ ମଧ୍ୟ ନବୀନ ମହାନାୟକ । ୯୯ ମହାବାତ୍ୟାର କରାଳ ରୂପରେ କ୍ଷତବିକ୍ଷତ ହୋଇଥିବା ଓଡ଼ିଶାକୁ ବିପର୍ୟ୍ୟୟ ମୁକାବିଲା ଲାଗି ପ୍ରସ୍ତୁତ କରିବାରେ ପଣ ନେଇଥିଲେ ନବୀନ । ବିପର୍ୟ୍ୟୟ ମୁକାବିଲା, ଉଦ୍ଧାର ଓ ରିଲଫ୍ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ଲାଗି ନବୀନ ଓଡ଼ିଶା ପାଇଁ ଗଠନ କଲେ ଓଡ୍ରାଫ୍ । ରାଜ୍ୟ ତମାମ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଗଲା । ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି ଯୋଗୁ ୯୯ ମହାବାତ୍ୟା ପରେ ପ୍ରାକୃତିକ ବିପର୍ୟ୍ୟୟ ଆଗରେ କେବେ ହାରିନି ଓଡ଼ିଶା । ୨୦୧୩ରେ ଫାଇଲିନ୍ ଭଳି ଭୟାନକ ବାତ୍ୟାକୁ ସଫଳ ମୁକାବିଲା କରିଥିଲା ଓଡ଼ିଶା । ଜାତିସଂଘ ଓଡ଼ିଶାକୁ ଏଥିପାଇଁ ସମ୍ମାନିତ କରିଥିଲା । ତା’ ପରେ ହୁଡ୍ହୁଡ୍, ତିତ୍ଲି ଭଳି ବାତ୍ୟାକୁ ଓଡ଼ିଶା ସରକାର ସଫଳତା ସହ ମୁକାବିଲା କରିଥିଲେ । ପ୍ରଳୟଙ୍କରୀ ‘ଫାଇଲିନ୍’, ‘ଫୋନି’, ‘ବୁଲବୁଲ୍’ ସହ ‘ୟାସ୍’ ବାତ୍ୟା ବେଳେ ପୂର୍ବ ପ୍ରସ୍ତୁତି ଯୋଗୁ ବହୁ ଧନଜୀବନକୁ ସରକାର ରକ୍ଷା କରିପାରିଥିଲେ । ଏହାକୁ ସାରା ବିଶ୍ୱ ପ୍ରଶଂସ କରିଛି । ସଂକଟମୋଚକ ନବୀନଙ୍କ ନିଷ୍ଠା ଓ ପାରିବା ପଣିଆରୁ ଓଡ଼ିଶା ଏବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ରୋଲ୍ ମଡେଲ୍ ।






